ଇମ୍ରାନ ସମର୍ଥକଙ୍କ ପୋଡ଼ାଜଳା ଏବଂ ଗୁଳିମାଡ଼ରେ ଅଶାନ୍ତ ପାକିସ୍ତାନ

ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନ ପୁରାପୁରି ଅଶାନ୍ତ ହୋଇଛି । ଚାରିଆଡ଼େ ସ୍ଥିତି ଅସମ୍ଭାଳ ହୋଇଛି । ନିୟନ୍ତ୍ରଣକୁ ଆଣିବା ପାଇଁ ସେନା ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ସାରା ଦେଶରେ ଅଶାନ୍ତି ଲାଗି ରହିଛି । ଗତକାଲି ଠାରୁ ପାକିସ୍ତାନରେ ଇମ୍ରାନ ସମର୍ଥକମାନେ ବିଭିନ୍ନ ହିଂସା ଘଟାଇଛନ୍ତି । ପେଶାୱର, ଲାହୋର, ଇସଲାମାବାଦ, କରାଚି ଓ ରାୱଲପିଣ୍ଡି ସମେତ ଦେଶର ବିଭିନ୍ନ ଭାଗରେ ଇମ୍ରାନ ସମର୍ଥକ ଭଙ୍ଗାରୁଜା କରିଛନ୍ତି । ପେଶାୱରରେ ଇମ୍ରାନ ସମର୍ଥକମାନେ ଖୋଲିଖୋଲି ଆଇନ୍ ଉଲ୍ଲଂଘନ କରିଛନ୍ତି । ପାକ୍ ସେନା ଉପରେ ଭାରି ପଡ଼ିଛନ୍ତି ସମର୍ଥକ । ଗୁଳିକରି କିଛି ସେନାଙ୍କୁ ମୃତାହତ କରିଥିବା ସୂଚନା ମିଳିଛି । କିଛି ସ୍ଥାନରେ ନିଆଁ ଲଗାଇ ଥିବାବେଳେ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।

ସେପଟେ ଇସଲାମାବାଦରେ ରେଡ ଆଲର୍ଟ ଜାରି କରାଯାଇଛି । ବୈଦେଶିକ ଦୂତାବାସରେ ରହୁଥିବା କର୍ମଚାରୀମାନଙ୍କୁ ବାହାରକୁ ନବାହରିବା ପାଇଁ ପରାମର୍ଶ ଦିଆଯାଇଛି । ପିଟିଆଇର ସମର୍ଥକମାନେ ମଙ୍ଗଳବାର ରାତିରେ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟରେ ଭଙ୍ଗାରୁଜା କରିଥିଲେ ।

ଏଥିସହ ଲାହୋରରେ ଥିବା ରାଜ୍ୟପାଳଙ୍କ ଭବନରେ ମଧ୍ୟ ସମର୍ଥକମାନେ ନିଆଁ ଲଗାଇ ଦେଇଥିଲେ । ଜଣେ କମାଣ୍ଡରଙ୍କ ଘରେ ନିଆଁ ଲଗାଇଦେବା ସହ କିଛି ସେନା ଅଫିସରଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ସମର୍ଥକ ।

ଦେଶର ସବୁ ଜାଗାରେ ଇମ୍ରାନ ସମର୍ଥକମାନେ ହିଂସାକାଣ୍ଡ ଘଟାଇଛନ୍ତି । ପାକିସ୍ତାନ ଗଣମାଧ୍ୟମ ‘ଦି ଡନ୍’ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହିଂସାକୁ ଆୟତ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପୁରା ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି । ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ୨ ଦିନ ବନ୍ଦ ରଖାଯିବା ନେଇ ଘୋଷଣା କରାଯାଇଛି । କିଛି ସହରରେ ଶାନ୍ତି ରକ୍ଷା ପାଇଁ ଅର୍ଦ୍ଧସାମରିକ ବଳ ଓ ରେଞ୍ଜର୍ସ ନିୟୋଜିତ ହୋଇଛନ୍ତି । ଇସଲାମାବାଦ,ପଞ୍ଜାବ, ପେଶାୱରରେ ୧୪୪ ଧାରା ଲାଗୁ କରାଯାଇଥିବା ‘ଡି ଡନ୍’ ପକ୍ଷରୁ ସୂଚନା ମିଳିଛି ।

ଦୁର୍ନୀତି ମାମଲାରେ ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରାଜଧାନୀ ଇସ୍ଲାମାବାଦର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା । ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଦୁର୍ନୀତି ନିବାରଣ ସଂସ୍ଥା । ତାଙ୍କୁ ଜଷ୍ଟିସ ମହମ୍ମଦ ବସିରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ଆକାଉଣ୍ଟିବିଲିଟି କୋର୍ଟରେ ହାଜର କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ତାଙ୍କ ଝିଅ ମରିୟମଙ୍କୁ ଲଣ୍ଡନରେ ସମ୍ପତ୍ତି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଜଷ୍ଟିସ ବସିର

Your email address will not be published. Required fields are marked *