କାଳବୈଶାଖୀ ପ୍ରଭାବ, ୨୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଗୁରୁବାର ଅର୍ଥାତ ୨୫ ତାରିଖ ଅପରାହ୍ଣରେ ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିଲା । ପ୍ରାୟ ୩ ଘଣ୍ଟା ଯାଏ କାଳବୈଶାଖୀ ପ୍ରଭାବରେ ପ୍ରବଳ କଚାଡ଼ିଥିଲା । ଗତକାଲି ମଧ୍ୟରାତ୍ରିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ ଲଗାତାର ୨ ଦିନ ବର୍ଷା ହୋଇଛି । ଆଜି ମଧ୍ୟ ଏହାର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆହୁରୀ ୪ ଦିନ ରାଜ୍ୟରେ ଖରା ବର୍ଷା ଲାଗି ରହିବ । ମଧ୍ୟାହ୍ନରେ ତାତି ରହିଲେ ଅପରାହ୍ନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର,ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ବାକି ୨୧ଟି ଜିଲ୍ଲାରେ ଆଜି ବିଜୁଳି,ଘଡ଼ଘଡ଼ି ସହ ବର୍ଷିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି କହିଛି ବିଭାଗ । ବିହାର ଠାରୁ ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

କାଳବୈଶାଖୀର ପ୍ରଭାବକୁ ନଜରରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଲଗାତାର ୨ ଦିନ ପ୍ରଭାବ ପକାଇଥିବା ବେଳେ ଆଜି ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ, ତେଣୁ ସତର୍କ ରହିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *