ସାଧାରଣତଃ କୌଣସି ବିଶିଷ୍ଠ ବ୍ୟକ୍ତି, ରାଜନେତାଙ୍କୁ ଉପହାର ଦେବାର ଆମର ଚଳଣି ରହିଛି। ଏହି ଉପହାରରେ କିଏ ଫୁଲ ତୋଡା ଦେଇଥାନ୍ତି ତ ପୁଣି କିଏ ଦେଇଥାନ୍ତି ସାଲ, ଅବା କୌଣସି ଦାମୀ ଜିନିଷ। କିନ୍ତୁ ଏମିତି ଉପହାରକୁ ମନା କରିଦେଇଛନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ସିଦ୍ଧରମେୟା। ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଓ ନିଜ ନିଷ୍ପତ୍ତି ସମ୍ପର୍କରେ ଟୁଇଟ କରି ସମସ୍ତଙ୍କୁ ଜଣାଇଦେଇଛନ୍ତି।
ସିଦ୍ଧରମେୟା ଟୁଇଟରେ ଉଲ୍ଳେଖ କରିଛନ୍ତି କି, ସମ୍ମାନ ଜଣାଇବାକୁ ଲୋକଙ୍କ ଦ୍ୱାରା ଦିଆଯାଉଥିବା ଫୁଳ ଓ ସାଲ ଆଉ ଗ୍ରହଣ କରିବି ନାହିଁ। ଲୋକେ ଶ୍ରଦ୍ଧା ଓ ସମ୍ମାନ ଜଣାଇବାକୁ ଚାହୁଁଥିଲେ ମୋତେ ଫୁଳ ତୋଡା ଓ ସାଲ ବଦଳରେ ପୁସ୍ତକ ଉପହାର ଦିଅନ୍ତୁ। ଆପଣଙ୍କ ସ୍ନେହ ସମ୍ମାନ ମୋ ପ୍ରତି ରହିଥାଉ, କିନ୍ତୁ ଏସବୁ ଜିନିଷ ନେବି ନାହିଁ। ଏହା ବ୍ୟକ୍ତି ବିଶେଷ ଓ ସାଧାରଣ କାର୍ଯ୍ୟକ୍ରମ ପାଇଁ ଲାଗୁ ହେଉଛି। ଖାଲି ଏତିକି ନୁହେଁ, ସେ ଆଉ ଏକ ବଡ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ତାଙ୍କ ଯାତ୍ରା ପାଇଁ ସାଧାରଣ ଜନତା ଯେମିତି ଅସୁବିଧାରେ ନ ପଡିବେ ସେ ନେଇ ସେ ବେଙ୍ଗାଲୁରୁ ପୋଲିସକୁ ଏକ ନିର୍ଦ୍ଦେଶ ଦେଇଛନ୍ତି।
ଟୁଇଟ କରି ସିଦ୍ଧରମେୟା କହିଛନ୍ତି, ତାଙ୍କ ପାଇଁ ଥିବା ଜିରୋ ଟ୍ରାଫିକ ନିୟମ ସେ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ସେ ବେଙ୍ଗାଲୁରୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ସେ ଚାହଁନ୍ତି ନି କି ତାଙ୍କ ପାଇଁ ସାଧାରଣ ଜନତା ଅସୁବିଧାରେ ପଡନ୍ତୁ, ସେମାନଙ୍କର ଯାତାୟାତା ବାଧାପ୍ରାପ୍ତ ହେଉ। ସିଦ୍ଧରମେୟାଙ୍କା ଏହି ଦୁଇଟି ନିଷ୍ପତ୍ତି ନିଶ୍ଚିତ ପକ୍ଷେ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ। ତେବେ ଏହାକୁ କେବଳ ଲୋକଙ୍କ ନିକଟରେ ନିଜ ମହାନତା ଦେଖାଇବା ଭିତରେ ସୀମିତ ନ ରଖି ଆଗକୁ ନେଲେ ନିଶ୍ଚିତ ରୂପେ ଅନେକଙ୍କ ପାଇଁ ଉଦାହରଣ ହେବ।
ସୂଚନାଯୋଗ୍ୟ, ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ମେ ୨୦ ତାରିଖରେ ଶପଥ ନେଇଥିଲେ ସିଦ୍ଧରମୈୟା । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଓ ଆହୁରି ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ଏହି ଭବ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ।
ଚଳିତ ନିର୍ବାଚନରେ ବିଜେପିକୁ ମାତ ଦେବାରେ ସିଦ୍ଧରମେୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ରାଜ୍ୟ କଂଗ୍ରେସର ଜଣେ ପୁରୁଖା ଓ ଅଭିଜ୍ଞ ନେତା। ତେବେ ଡିକେ ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିଲା ଟଣାଓଟରା । ତେବେ ଶିବକୁମାର ସୋନିଆଙ୍କ ଚାପରେ ଆସି ନିଜ ଜିଦିରୁ ଓହରିବାକୁ ବାଧ୍ୟ ହୋଇଥିଲେ ଓ ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ଗଠନ ହେଲା ।