ପଶ୍ଚିମରେ ତାତି ଅସମ୍ଭାଳ, ରାଜ୍ୟର କିଛି ସ୍ଥାନରେ ବର୍ଷା ଆଶଙ୍କା

ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଦିନ ସାଢ଼େ ଦୁଇଟା ସୁଦ୍ଧା ସମ୍ବଲପୁର ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏହାର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୧.୮,ଝାରସୁଗୁଡାରେ ୪୦.୪ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲିରେ ୪୦,ଭୁବନେଶ୍ବରରେ ୩୮.୮ ଏବଂ ବାଲେଶ୍ବରର ତାପମାତ୍ରା ୩୫.୮ ଡିଗ୍ରୀ ରହିଛି । କେନ୍ଦୁଝରରେ ୩୫.୪,ପୁରୀରେ ୩୪,ପାରାଦୀପରେ ୩୩.୪,ଗୋପାଳପୁରରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ସ୍ଥିତି ସମାନ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବା ଆଶଙ୍କା ମଧ୍ୟ ରହିଛି । ସେପଟେ କାଲିଠାରୁ କାଳବୈଶାଖୀ ଦୁର୍ବଳ ହେବା ସମ୍ଭାବନା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଉପକୂଳର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଆଭ୍ଯନ୍ତରୀଣ ଓଡ଼ିଶାରେ ତାତି ଅଧିକ ରହିବା ନେଇ ସୂଚନା ମିଳିଛି ।

ଗତକାଲି କାଳବୈଶାଖୀ ପ୍ରଭାବରେ ୧୧ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ସେହି ସ୍ଥାନ ଗୁଡ଼ିକରେ ଆସନ୍ତାକାଲିଠାରୁ ତାପମାତ୍ରା ବୃଦ୍ଧି ପାଇବ । ସେପଟେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ମୌସମୀ ସକ୍ରିୟ ରହିଛି । ଆଣ୍ଡାମାନ ଓ ନିକୋବର ଦ୍ବୀପର ବିଭିନ୍ନ ଅଂଶକୁ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଛି । ତେବେ ମୌସୁମୀ ଓଡ଼ିଶା କେବେ ଛୁଇଁବ ସେନେଇ କୌଣସି ଆକଳନ କରାଯାଇନଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *