ରାଜଧାନୀରେ ଧଳା ଜହର। ଧଳା ଜହର ସହ ସ୍ପେସାଲ ଟାସ୍କ ଫୋର୍ସ ହାତରେ ବେପାରୀ। ଶନିବାର ସଂଧ୍ୟା ସମୟରେ ଭୁବନେଶ୍ୱରର ୟୁନିଟ ୮ ଅଞ୍ଚଳରେ ନିଶା କାରବାର ଚାଲିଥିବା ସୂଚନା ପାଇ ଏସଟିଏଫ କମିଶନରେଟ ପୋଲିସ ସହଯୋଗରେ ବିପୁଳ ପରିମାଣର ନିଷିଦ୍ଧ ଡ୍ରଗ୍ସ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଚିତ୍ତରଞ୍ଜନ ସାହୁ ୟୁନିଟ ୮ରେ ରହୁଥିବା ବେଳେ ତାର ଘର ଢେଙ୍କାନାଳ।
ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ-୮ରେ ବିପୁଳ ଡ୍ରଗ୍ସ କାରବାର ଚାଲିଥିବା ସୂଚନା ମିଳିଥିଲା ଏସଟିଏଫକୁ। ସୂଚନା ଆଧାରରେ ଏସଟିଏଫ ଓ କମିଶନରେଟ ପୋଲିସର ମିଳିତ ଟିମ ଚଢାଉ କରି ୧କେଜି ୧୦୭ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା ଚିତ୍ତରଞ୍ଜନ ସାହୁଠାରୁ। ଏତେ ପରିମାଣର ନିଷିଦ୍ଧ ଡ୍ରଗ୍ସକୁ ନେଇ ପୋଲିସ ବିଭିନ୍ନ ପ୍ରଶ୍ନ କରିଥିବା ବେଳେ ଅଭିଯୁକ୍ତ ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲା। ତେଣୁ ପୋଲିସ ତାକୁ ଗିରଫ କରିଥିଲା। ଏସଟିଏଫ ଏନଡିପିଏସ ଆକ୍ଟ ୧୯୮୫ରେ ଏକ ମାମଲା ରୁଜୁ କରିଛି ଓ ଅଭିଯୁକ୍ତକୁ କୋର୍ଟରେ ହାଜର କରିଛି।
ଏସଟିଏଫ ପକ୍ଷରୁ ନିଶା କାରବାର ଉପରେ ନିୟନ୍ତ୍ରଣ ପାଇଁ ଏକ ସ୍ପେସାଲ ଅଭିଯାନ ଜାରି ରହିଛି। ଏହି ଅଭିଯାନ ଅନ୍ତର୍ଗତ ୨୦୨୦ରୁ ବର୍ତ୍ତମାନ ମଧ୍ୟରେ ଏସଟିଏଫ ୬୯ କେଜି ବ୍ରାଉନ ସୁଗାର/ହେରୋଇନ, ୨୦୨ ଗ୍ରାମ କୋକିନ ଓ ୧୧୩ କ୍ୟୁଣ୍ଟାଲ ଗଞ୍ଜେଇ, ୭୫୦ ଗ୍ରାମର ଅଫିମ ଜବତ କରିଛି। ଏଥିସହ ନିଷିଦ୍ଧ ନିଶା କାରବାର ମାମଲାରେ ୧୬୮ରୁ ଅଧିକ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିବାରେ ସଫଳ ହେଲାଣି।