କାହା ଛତ୍ରଛାୟାରେ ଚାଲିଛି ମଦ ବେପାର ?

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଆସିଛି ଏକ ଗୁରୁତର ଅଭିଯୋଗ। ରାସ୍ତା କଡ଼ରେ ଥିବା ଏକ କଳା କେବିନ୍‌ରେ ଖୋଲାଖୋଲି ଭାବେ ମଦ ରଖି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ, ଅଭିଯୋଗ ଜଣାଇବା ପରେ ବି ପୋଲିସର ତତ୍ପରତା ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ,ଏଠାରେ ରାସ୍ତା ପାଖରେ ଥିବା ଏକ କଳା କେବିନ୍‌ରେ ବିପୁଳ ପରିମାଣର ମଦ ରଖାଯାଇ ଖୋଲାଖୋଲି ବିକ୍ରି ଚାଲିଛି।

ସ୍ଥାନୀୟଙ୍କ ଅଭିଯୋଗ, ଜିତେନ୍ଦ୍ର କୁମାର ସେଠୀ ଓ ତାଙ୍କ ପିତା ପଦନ ସେଠୀ ମିଳିତ ଭାବେ ଏହି ବେପାର କରୁଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ଓ ମଦ ବିକ୍ରି ପାଇଁ ଆଇନଗତ ଅନୁମତି ରହିଛି କି ନାହିଁ, ତାହା ସମ୍ପୃକ୍ତ ବିଭାଗର ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। ଏଠାରେ ମଦ୍ୟପାନ କରି କିଛି ଲୋକ ରାସ୍ତା ଉପରେ ଗଣ୍ଡଗୋଳ କରିବା ସହ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛନ୍ତି। ଏପରିକି ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଏହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି। ଅଭିଯୋଗ ଆହୁରି ରହିଛି ଯେ, ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ଫୋନ୍ ଯୋଗେ ଜଣାଇବା ପରେ ମଧ୍ୟ ତୁରନ୍ତ ପୋଲିସ ପହଞ୍ଚିନଥିଲା। ଅନ୍ୟପଟେ ୧୧୨ ଜରୁରୀକାଳୀନ ସେବା ଥିବା ସତ୍ତ୍ୱେ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନିଆଯାଉଛି କି ନାହିଁ, ତାହାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି,ଯଦି ଅଭିଯୋଗ ସତ,ତେବେ ରାସ୍ତା କଡ଼ରେ ଏଭଳି ଖୋଲାଖୋଲି ମଦ ବିକ୍ରି କିପରି ଚାଲିଛି? ପୋଲିସ କିମ୍ବା ଅବକାରୀ ବିଭାଗର ଏଥିପ୍ରତି ଦୃଷ୍ଟି ପଡି ନାହିକି ?
ସ୍ଥାନୀୟଙ୍କ ଅଭିଯୋଗରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ମାନସ କୁମାର ମଲ୍ଲିକଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ପୋଲିସର ମଦ ବେପାରୀଙ୍କ ସହ କୌଣସି ମିଳିଭଗତ ରହିଛି ବୋଲି ଯେଉଁ ଅଭିଯୋଗ ହେଉଛି, ତାହାର ସ୍ୱତନ୍ତ୍ର ପ୍ରମାଣ ଗଣମାଧ୍ୟମ ହାତରେ ନାହିଁ। ତେଣୁ ଏହି ଅଭିଯୋଗର ସତ୍ୟତା ତଦନ୍ତ ମାଧ୍ୟମରେ ସାମ୍ନାକୁ ଆସିବା ନିହାତି ଆବଶ୍ୟକ।

ଅଠରବାଟିଆ ଅଞ୍ଚଳରେ ମଦ ବିକ୍ରି ଓ ମଦ୍ୟପଙ୍କ ଉତ୍ପାତକୁ ନେଇ ସ୍ଥାନୀୟଙ୍କ ଅଭିଯୋଗ ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୋଗର ନିରପେକ୍ଷ ତଦନ୍ତ କରି ବେଆଇନ୍ ବେପାର ହେଉଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ପାଇଁ ଦାବି ହେଉଛି। ତେବେ ଦେଖିବାକୁ ବାକି ରହିଲା,ସ୍ଥାନୀୟଙ୍କ ଅଭିଯୋଗ ଉପରେ ପଟ୍ଟାମୁଣ୍ଡାଇ ପୋଲିସ ଓ ଅବକାରୀ ବିଭାଗ କେବେ ପଦକ୍ଷେପ ନେଉଛନ୍ତି।