
କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗାଁ ଗଣ୍ଡାରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତ ଦୁଇ-ତିନି ଦିନ ହେବ କେତେକ ଅଞ୍ଚଳରେ ବନ୍ୟାଜଳ କିଛି ପରିମାଣରେ କମିଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଏବେ ବି ଦୂର ହୋଇନାହିଁ। ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଜୀବନ ବିତାଉଥିବା ବେଳେ ଏଭଳି ଦୁର୍ଦ୍ଦିନରେ ଅସହାୟଙ୍କ ପାଖରେ ଠିଆ ହୋଇ ମାନବିକତାର ନିଆରା ଉଦାହରଣ ପାଲଟିଛନ୍ତି ନାରୀ ନେତ୍ରୀ ତଥା ସମାଜସେବୀ ସୁଜାତା ବାରିକ।
କେନ୍ଦ୍ରାପଡ଼ା ଜିଲ୍ଲାରେ ‘ସୁଜାତା ଅପା’ ଭାବେ ପରିଚିତ ସୁଜାତା, ପ୍ରଶାସନିକ ସହାୟତା ପହଞ୍ଚିବା କଷ୍ଟକର ହେଉଥିବା ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଣ୍ଠୁଏ ପାଣିରେ ପଶି ତ କେଉଁଠି ଡଙ୍ଗାରେ ଯାଇ ବିପନ୍ନଙ୍କ ପାଖରେ ପହଞ୍ଚୁଛନ୍ତି। ରାଜକନିକା, ଆଳି, ରାଜନଗର, ପଟ୍ଟାମୁଣ୍ଡାଇ ସମେତ କେନ୍ଦ୍ରାପଡ଼ାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସେ ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି। ଏଥିସହ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ଓ ପିଇବା ପାଣି ଯୋଗାଇ ଦେଉଛନ୍ତି।
ବିଜେପିର ଜଣେ ବରିଷ୍ଠ ନେତ୍ରୀ ଭାବେ କିଛି ସକ୍ରିୟ ସହଯୋଗୀଙ୍କୁ ସାଥୀ କରି ନିଜ ପରିବାରକୁ ପଛରେ ରଖି ନିୟମିତ ଭାବେ ବନ୍ୟାଞ୍ଚଳକୁ ଯାଇ ବିପନ୍ନଙ୍କ ଦୁଃଖରେ ସାମିଲ ହେଉଛନ୍ତି ସୁଜାତା। କେବଳ ରିଲିଫ ବଣ୍ଟନରେ ସୀମିତ ନରହି, ବନ୍ୟା ବିପନ୍ନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଏବଂ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା କରିବା ଦାବିରେ ସେ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାର, ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ୮ ଦଫା ଦାବି ସମ୍ବଳିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
ବିପଦ ସମୟରେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସହ ଛିଡ଼ା ହେବାର ଏହି ପ୍ରୟାସକୁ ଆଳି ନିର୍ବାଚନମଣ୍ଡଳୀ ସମେତ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି। ବନ୍ୟାର ଏହି କଠିନ ସମୟରେ ବିପନ୍ନଙ୍କ ପାଖରେ ‘ସୁଜାତା ଅପା’ଙ୍କ ଉପସ୍ଥିତି ଅନେକଙ୍କ ପାଇଁ ଆଶ୍ୱାସନର ଆଲୋକ ପାଲଟିଛି।