ଭୁବନେଶ୍ୱର, ୨୪ ଅକ୍ଟୋବର: ବାତ୍ୟା ଆଶଙ୍କା ଭିତରେ ଘୁଞ୍ଚିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଆସନ୍ତା ଅକ୍ଟୋବର ୨୮ ଓ ୨୯ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତକୁ ଏକ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାଷ୍ଟ୍ରପତି ଅକ୍ଟୋବର ୨୮ ଓ ୨୯ ତାରିଖରେ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବାର ଥିଲା। ଏହି ଗସ୍ତ ସମୟରେ ରାଇରଙ୍ଗପୁର, ବହଳଦା ଏବଂ ଗୋରୁମହିଷାଣୀ ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଥିଲା।
ତେବେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଗସ୍ତକୁ ସମ୍ପୂର୍ଣ୍ଣ ବାତିଲ କରାଯାଇ ନଥିବା ବେଳେ ଏହାର ତାରିଖ ପରିବର୍ତ୍ତନ ହୋଇଛି। ଆସନ୍ତା ନଭେମ୍ବର ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପୁନଃନିର୍ଦ୍ଧାରଣ ହୋଇଥିବା ମୟୂରଭଞ୍ଜ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ରାଷ୍ଟ୍ରପତି ନିଜ ଜନ୍ମମାଟି ରାଇରଙ୍ଗପୁର ଗସ୍ତ କରିବା ସହ ମା’ କିଚକେଶ୍ୱରୀଙ୍କ ମନ୍ଦିର ଦର୍ଶନ ଏବଂ ଗୋରୁମହିଷାଣୀ ଅଞ୍ଚଳରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଥିଲା। ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖାଦେଇଥିବା ବେଳେ ଗସ୍ତ ଘୁଞ୍ଚିବା ଖବର ପରେ ଏବେ ନୂଆ ତାରିଖକୁ ଅପେକ୍ଷା କରାଯାଉଛି।
ପାଣିପାଗ ଅନୁକୂଳ ନଥିବାରୁ ରାଷ୍ଟ୍ରପତିଙ୍କ ସୁରକ୍ଷା ଏବଂ ଗସ୍ତ କାର୍ଯ୍ୟକ୍ରମର ସୁପରିଚାଳନାକୁ ପ୍ରାଥମିକତା ଦିଆଯାଇଛି। ନୂଆ ତାରିଖ ଅନୁସାରେ କାର୍ଯ୍ୟକ୍ରମଗୁଡ଼ିକ କିପରି ଆୟୋଜନ ହେବ, ସେନେଇ ଆଗାମୀ ଦିନରେ ଅଧିକ ସୂଚନା ମିଳିବ। ତେବେ ବାତ୍ୟା ଆଶଙ୍କା ଯୋଗୁଁ ରାଷ୍ଟ୍ରପତିଙ୍କ ଗସ୍ତ ଘୁଞ୍ଚିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।