ଭୁବନେଶ୍ୱର, ୨୪ ଅକ୍ଟୋବର: ଓଡ଼ିଶାକୁ ଘାରିଲାଣି ବାତ୍ୟା ଭୟ। ସିଧାସଳଖ ମାଡ଼ ହେଉ କି ନ ହେଉ, ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ରାଜ୍ୟରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିପାରେ। ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ଭୀଷଣ ପବନର ଆଶଙ୍କା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୬ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ୨୭ ଓ ୨୮ ତାରିଖରେ ଏହାର ପ୍ରକୋପ ବଢ଼ିପାରେ।
ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ। ୨୮ ତାରିଖ ସକାଳ କିମ୍ବା ଦିନବେଳା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ପରେ ଦିଗ ବଦଳାଇ ଓଡ଼ିଶା ଆଡ଼କୁ ଗତି କରିପାରେ। ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୧୦୦ କିଲୋମିଟରରୁ ଅଧିକ ଏବଂ ଉପକୂଳ ଅଞ୍ଚଳରେ ୭୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।
୨୭ ତାରିଖରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ଅନ୍ୟ କେତେକ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ରହିଛି। ସେହିପରି ୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଅତ୍ୟଧିକ ବର୍ଷାର ଆଶଙ୍କା ରହିଛି।
କେତେକ ସ୍ଥାନରେ ୨୦୦ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଫଳରେ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ସହ ଦକ୍ଷିଣ ଓଡ଼ିଶାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଧାନ ଓ ରବି ଫସଲ କ୍ଷୟକ୍ଷତିର ଭୟ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏଭଳି ପରିସ୍ଥିତିରେ ଉପକୂଳ ଓ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବା ଜରୁରୀ ହୋଇପଡ଼ିଛି।