ପାଣି ଫ୍ୟାକ୍ଟ୍ରିରେ କରେଣ୍ଟ କାଣ୍ଡ, ବିଦ୍ୟୁତ୍ ଆଘାତରେ ଶ୍ରମିକ ଗୁରୁତ୍ଵର…

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧୀନ ଉତ୍କେଲା ଫାଣ୍ଡି ଅଞ୍ଚଳରେ ଥିବା ଏକ ପାଣି ପାଉଚ୍ ଫ୍ୟାକ୍ଟ୍ରିରେ ଅଘଟଣ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବୈଶାଳୀ ପାଣି ପାଉଚ୍ ଫ୍ୟାକ୍ଟ୍ରିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଗୁରୁତର ଆହତ ଶ୍ରମିକ ହେଲେ ଉତ୍କେଲା ପଞ୍ଚାୟତ ଅଧୀନ ଗୁଞ୍ଜେରମାଲ ଗାଁର କ୍ଷେତ୍ର ନାଏକ। ସୂଚନା ଅନୁଯାୟୀ, କ୍ଷେତ୍ର ଗତ ପ୍ରାୟ ଦୁଇ ବର୍ଷ ହେବ ଉକ୍ତ ପାଣି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେଠାରେ ସେ ପାଣି ପାଉଚ୍ ଭରିବା କାମରେ ନିୟୋଜିତ ଥିବା ପରିବାର ପକ୍ଷରୁ କୁହାଯାଇଛି।

ପରିବାରର ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର କାର୍ଯ୍ୟରତ ସମୟରେ କ୍ଷେତ୍ର ବିଦ୍ୟୁତ୍ ଆଘାତର ଶିକାର ହୋଇ ଗୁରୁତର ହୋଇଥିଲେ। ତେବେ ପାଣି ପାଉଚ୍ ଭରିବା କାମରେ ନିୟୋଜିତ ଜଣେ ଶ୍ରମିକଙ୍କୁ ବିଦ୍ୟୁତ୍ ସମ୍ପର୍କିତ କାମ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ, ତାହାର ନିରପେକ୍ଷ ତଦନ୍ତ କରାଯାଇ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଉ ବୋଲି ପରିବାର ଦାବି କରିଛି।

ଘଟଣାକୁ ତିନି ଦିନ ବିତିଥିଲେ ମଧ୍ୟ ଚିକିତ୍ସା ଖର୍ଚ୍ଚ ଓ ଆବଶ୍ୟକ ଚିକିତ୍ସା ସହାୟତା ନେଇ ଫ୍ୟାକ୍ଟ୍ରି ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ନେଇ ପରିବାର ଓ ଗ୍ରାମବାସୀ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ସହ ଶନିବାର ଫ୍ୟାକ୍ଟ୍ରି ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ।

ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଓ ଫ୍ୟାକ୍ଟ୍ରି ମାଲିକଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲା। ପୋଲିସ ଅଧିକାରୀ ଅରକ୍ଷିତ ମାଝୀଙ୍କ ସୂଚନା ଅନୁଯାୟୀ, ଆହତ ଶ୍ରମିକଙ୍କ ଚିକିତ୍ସା ବର୍ତ୍ତମାନ ଆୟୁଷ୍ମାନ କାର୍ଡ ମାଧ୍ୟମରେ ଚାଲିଛି। ଚିକିତ୍ସା ବାବଦରେ ଯେଉଁ ଖର୍ଚ୍ଚ ହେବ, ତାହା ଫ୍ୟାକ୍ଟ୍ରି ମାଲିକ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ, ଘଟଣା ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଫ୍ୟାକ୍ଟ୍ରି ଭିତରକୁ ପ୍ରବେଶ ଅନୁମତି ନ ମିଳିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଫ୍ୟାକ୍ଟ୍ରି ଭିତରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା କିପରି ରହିଛି, ବିଦ୍ୟୁତ୍ ସମ୍ପର୍କିତ କାମ ପାଇଁ ଯୋଗ୍ୟ ଓ ପ୍ରଶିକ୍ଷିତ କର୍ମଚାରୀ ନିୟୋଜିତ ଥିଲେ କି ନାହିଁ ଏବଂ ଦୁର୍ଘଟଣାର ପ୍ରକୃତ କାରଣ କଣ—ସେନେଇ ପ୍ରଶ୍ନ ଉଠିଛି।

ଘଟଣାର ନିରପେକ୍ଷ ତଦନ୍ତ କରି ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟସ୍ଥଳରେ ବିଦ୍ୟୁତ୍ ସୁରକ୍ଷା ନିୟମ ପାଳନ ଏବଂ ଦୁର୍ଘଟଣାରେ କାହାର ଅବହେଳା ରହିଛି କି ନାହିଁ, ତାହା ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି। ଏଥିସହ ଆହତ ଶ୍ରମିକଙ୍କ ଉତ୍ତମ ଚିକିତ୍ସା ସହ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇବାକୁ ମଧ୍ୟ ଦାବି ହୋଇଛି।

ଏବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ଯଦି ସୁରକ୍ଷା ନିୟମର ଉଲ୍ଲଂଘନ କିମ୍ବା କାହାର ଅବହେଳା ପ୍ରମାଣିତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ସହ ଶ୍ରମିକଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ନେଇ ଦାବି ଜୋର ଧରିଛି।