
ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଏହାର ପ୍ରଭାବ ଏବେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସ୍ପଷ୍ଟ ଭାବେ ପଡ଼ିଛି। ବିଶେଷକରି ଥଣ୍ଡା, କାଶ ଓ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ସରକାରୀ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କ ଭିଡ଼ ବଢ଼ିଛି।କଟକ ଏସ୍ସିବି ବଡ଼ ମେଡିକାଲରେ ପ୍ରତିଦିନ ସକାଳୁ ସକାଳୁ ଶତାଧିକ ରୋଗୀ ଚିକିତ୍ସା ପାଇଁ ପହଞ୍ଚୁଛନ୍ତି। ଗତ କିଛି ଦିନ ଧରି ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି। ଅନେକ ରୋଗୀଙ୍କ କ୍ଷେତ୍ରରେ ଜ୍ୱର ସହଜରେ ଭଲ ହେଉନଥିବା ବେଳେ କାଶ ଓ ଥଣ୍ଡା ଦୀର୍ଘ ସମୟ ଧରି ଲାଗି ରହୁଛି।
ଡାକ୍ତରମାନଙ୍କ କହିବା ଅନୁସାରେ, ଲଗାଣ ବର୍ଷା, ପାଗର ହଠାତ୍ ପରିବର୍ତ୍ତନ ଏବଂ ଆର୍ଦ୍ରତା ବଢ଼ିବା ଫଳରେ ଭାଇରାଲ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ବିଶେଷକରି ଶିଶୁ, ବୟସ୍କ ଓ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ଅଧିକ ପ୍ରଭାବିତ ହେଉଛନ୍ତି।ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ପରିଷ୍କାର ଓ ଫୁଟା ପାଣି ପିଇବା, ବର୍ଷାରେ ଭିଜିଲେ ତୁରନ୍ତ ଶୁଖିଲା ପୋଷାକ ପିନ୍ଧିବା, ପରିଷ୍କାର-ପରିଚ୍ଛନ୍ନତା ରକ୍ଷା କରିବା ଏବଂ ପୌଷ୍ଟିକ ଖାଦ୍ୟ ଖାଇବାକୁ ସେମାନେ ପରାମର୍ଶ ଦେଇଛନ୍ତି।ସେହିପରି ଜ୍ୱର, କାଶ କିମ୍ବା ଥଣ୍ଡାର ଲକ୍ଷଣ ଦେଖାଦେଲେ ନିଜେ ଔଷଧ ସେବନ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ବର୍ଷା ଋତୁରେ ସାମାନ୍ୟ ଅସାବଧାନତା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଦ ଡାକି ଆଣିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରିଛନ୍ତି।