DGP ଖୁରାନିଆ ନେବେ ଅବସର, ନୂଆ ପୋଲିସ ମୁଖ୍ୟ ଚୟନକୁ ନେଇ ବଢ଼ିଲା ଚର୍ଚ୍ଚା

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଆସନ୍ତା ଅଗଷ୍ଟ ୧୬ ତାରିଖ ସରକାରୀ ଚାକିରିରୁ ଅବସର ନେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି। ତାଙ୍କ ଅବସର ସହିତ ଓଡ଼ିଶା ପୋଲିସର ପରବର୍ତ୍ତୀ ମୁଖ୍ୟ କିଏ ହେବେ, ତାହାକୁ ନେଇ ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋର ଧରିଛି।

୧୯୯୦ ବ୍ୟାଚର ଆଇପିଏସ୍ ଅଧିକାରୀ ଖୁରାନିଆ ୨୦୨୪ ଅଗଷ୍ଟ ୧୬ରେ ଓଡ଼ିଶାର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।ସର୍ବୋଚ୍ଚ ପୋଲିସ ଅଧିକାରୀ ଭାବେ ନ୍ୟୁନତମ ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପାଇଁ ତାଙ୍କ କାର୍ଯ୍ୟକାଳକୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଦୀର୍ଘ ପ୍ରଶାସନିକ ଜୀବନରେ ଖୁରାନିଆ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲାରେ ଜିଲ୍ଲା ପୋଲିସ ଅଧୀକ୍ଷକ (ଏସ୍‌ପି) ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ଭୁବନେଶ୍ୱର-କଟକ ପୋଲିସ କମିଶନର, ଆଇଜି (ଅପରେସନ୍), ଭିଜିଲାନ୍ସର ସ୍ପେଶାଲ୍ ଡାଇରେକ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି।

ବିଏସଏଫ୍‌ର ବିଭିନ୍ନ ଉଚ୍ଚ ପଦବୀରେ ମଧ୍ୟ ସେ କାର୍ଯ୍ୟ କରିଥିବା ବେଳେ ରାଜ୍ୟପାଳ ପଦକ, ପୋଲିସ ମେଡାଲ୍ ଫର୍ ମେରିଟୋରିଅସ୍ ସର୍ଭିସ୍, ରାଷ୍ଟ୍ରପତି ପୋଲିସ ପଦକ ଓ ଅତି ଉତ୍କୃଷ୍ଟ ସେବା ପଦକ ସମେତ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।ଏବେ ଖୁରାନିଆଙ୍କ ଉତ୍ତରାଧିକାରୀ କିଏ ହେବେ, ସେଥିପାଇଁ ୟୁପିଏସସି ପକ୍ଷରୁ ଆସିବାକୁ ଥିବା ତିନି ଜଣିଆ ପ୍ୟାନେଲ୍‌କୁ ଅପେକ୍ଷା କରାଯାଉଛି। ବରିଷ୍ଠତା ଓ ପ୍ରଶାସନିକ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ୧୯୯୦ ବ୍ୟାଚ୍‌ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୨ ବ୍ୟାଚ୍‌ର ସୁଶାନ୍ତ କୁମାର ନାଥ ଏବଂ ଆର୍‌.ପି. କୋଚେଙ୍କ ନାମ ପରବର୍ତ୍ତୀ ଡିଜିପି ଦୌଡ଼ରେ ସବୁଠାରୁ ଆଗରେ ଥିବା ଚର୍ଚ୍ଚା ହେଉଛି। ୟୁପିଏସସି ସୁପାରିଶ କରିବା ପରେ ରାଜ୍ୟ ସରକାର ନୂଆ ଡିଜିପିଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିବେ।