ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ସକାଳୁ ସକାଳୁ ଦେଶବାସୀଙ୍କୁ ମହଙ୍ଗା ମାଡ଼। ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଏବଂ ଡିଜେଲ ୨ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି। ଗତ ୧୧ ଦିନରେ ଏହା ଚତୁର୍ଥ ଥର ପାଇଁ ତେଲ ଦର ବଢ଼ିଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୯ ଟଙ୍କାକୁ ଛୁଇଁଥିବା ବେଳେ ସାଧାରଣ ଲୋକଙ୍କ ଉପରେ ଏହାର ସିଧା ପ୍ରଭାବ ପଡ଼ିଛି। ମେ ୧୫ରୁ ଆରମ୍ଭ ହୋଇଥିବା ଦର ବୃଦ୍ଧି ଧାରା ଜାରି ରହିଥିବାରୁ ଯାତାୟାତ ଓ ନିତ୍ୟପ୍ରୟୋଜନୀୟ ସାମଗ୍ରୀ ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବରେ ବିଶ୍ୱବ୍ୟାପୀ ଶକ୍ତି ମୂଲ୍ୟ ବଢ଼ୁଥିବା ବେଳେ ସରକାରୀ ତୈଳ କମ୍ପାନୀଗୁଡ଼ିକ ଏହାର ଭାର କ୍ରମେ ଗ୍ରାହକଙ୍କ ଉପରେ ପକାଇବା ଆରମ୍ଭ କରିଛନ୍ତି। ମେ ୧୫ରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କା ବଢ଼ିଥିଲା। ପରେ ମେ ୧୯ରେ ପୁଣି ୯୦ ପଇସା ବୃଦ୍ଧି ହୋଇଥିଲା। ଏବେ ପୁଣି ଦର ବୃଦ୍ଧି ପାଇବାରୁ ସାଧାରଣ ଲୋକଙ୍କ ଚିନ୍ତା ଆହୁରି ବଢ଼ିଛି।