ଅହିରାଜପୁର ଚିଙ୍ଗୁଡ଼ି ଘେରିରେ ମୃତ୍ୟୁ
ରାଜନଗର ବ୍ଲକ ଅନ୍ତର୍ଗତ କେରୁଆପାଳ ପଞ୍ଚାୟତ ଅହିରାଜପୁର ଗ୍ରାମର ପଞ୍ଚାନନ ଜେନାଙ୍କ ବଡ଼ ପୁଅ ପିଣ୍ଟୁ ଜେନା (୪୨ ) ଗତକାଲି ସଂନ୍ଧ୍ୟା ୭:୩୦ ମିନିଟ ସମୟରେ ଚିଙ୍ଗୁଡ଼ି ଘେରିର ଏ.ଆର ରୋଟର ପାଇପ କାଟୁଥିବା ସମୟରେ ସର୍ଟ ସର୍କିଟରେ ହେତୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।
ଗୁରୁତର ପିଣ୍ଟୁ ଜେନାଙ୍କୁ ପ୍ରଥମେ ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଶବ ବ୍ୟବଚ୍ଛେଦ ପାଇଁ କାଗଜପତ୍ର ପ୍ରସ୍ତୁତ କରିଥିଲେ ।
ଯେଉଁ ଚିଙ୍ଗୁଡ଼ି ଘେରିରେ ବିଦ୍ୟୁତ ଆଘାତ ପାଇ ପିଣ୍ଟୁ ମୃତ୍ୟୁ ବରଣ କରିଛନ୍ତି, ସେହି ଚିଙ୍ଗୁଡ଼ି ଘେରିରେ ବିଦ୍ୟୁତ ବିଭାଗୀୟ କର୍ମୀମାନେ ହାତଗୁଞ୍ଜା ନେଇ ବିଦ୍ୟୁତ ଯୋଗାଣ କରିଥିବା ଚର୍ଚ୍ଚା ହେଉଛି । ବିଦ୍ୟୁତ ବିଭାଗର ଅଗୋଚରରେ, ତାଳଚୁଆର ଅନେକ ଚିଙ୍ଗୁଡ଼ିଘେରି ମାଲିକ ବିଭାଗୀୟ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଚୋରାରେ ବିଦ୍ୟୁତ ବ୍ୟବହାର କରୁଥିବାରୁ ଏଭଳି ଛୋଟ-ବଡ଼ ଘଟଣା ଘଟୁଛି ।
ବ୍ରାହ୍ମଣସାହି ପଞ୍ଚାୟତ ଗାଁ ଦାଣ୍ଡରେ ଅଘଟଣ
ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତର ଦୈତାରୀ ଜେନା (୬୬) ନିଜ ଘର ଆଗରେ ବିଦ୍ୟୁତ ତାରକୁ ଲାଗି ରହିଥିବା ଗଛକୁ କାଟିବା ପାଇଁ କୁରୁଣ୍ଟି ବିଦ୍ୟୁତ ସେବା ଶାଖାକୁ କଲ କରି ଜଣେଇଥିଲେ । ସେଠାର କାର୍ଯ୍ୟରତ ଆନନ୍ଦ ସ୍ୱାଇଁ ନାମକ ଜଣେ ବିଦ୍ୟୁତ କର୍ମଚାରୀ ତାଙ୍କୁ ‘ବିଦ୍ୟୁତ କଟା ଯାଇଛି ତୁମେ ଗଛ କାଟି ପାର’ କହିଥିଲେ । ଦୈତାରୀ ଏକ ଧାରୁଆ ଅସ୍ତ୍ରରେ ଗଛକୁ କାଟୁଥିବା ସମୟରେ ସେହି ଗଛରେ ଲାଗିଥିବା ବିଦ୍ୟୁତ ତାରରେ ତାଙ୍କୁ ଆଘାତ ଲାଗିଥିଲା । ତାଙ୍କ ଛାତି, ଅଣ୍ଟା ଓ ବାମ ଜଙ୍ଘର ଚର୍ମ ବାହାରି ଯାଇଥିବାରୁ ତାଙ୍କୁ ତୁରନ୍ତ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ।
ଏହି ଘଟଣାପରେ, ଉତକ୍ଷିପ୍ତ ଗ୍ରାମବାସୀ କୁରୁଣ୍ଟି ବିଦ୍ୟୁତ ସେବା ଶାଖାର କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦର୍ଶନ କରିବା ପରେ ବିଦ୍ୟୁତ କର୍ମଚାରୀଙ୍କ ସହିତ ବୁଝାମଣା ହୋଇଥିଲା ଅବସ୍ଥା ଶାନ୍ତ ପଡିଥିଲା
— ମନୋଜ କୁମାର ସେଠୀ, ରାଜନଗର, କେନ୍ଦ୍ରାପଡା।