କାହିଁକି ଯାଉଛି ଜୀବନ? କେଉଁ କାରଣରୁ ଅକାଳରେ ଚାଲି ଯାଉଛି ଲୋକଙ୍କ ଜୀବନ? ଗୋଟିଏ କି ୨ଟି ନୁହଁ, ମାସକ ମଧ୍ୟରେ ଚାଲିଗଲାଣି ୧୦ ରୁ ଉର୍ଦ୍ଦ ଜୀବନ । ଅଜଣା ରୋଗ ସାଜିଛି ଏମାନଙ୍କ ପାଇଁ କାଳ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବାଂଶପାଳ ବ୍ଲକ ଗୋନାସିକାର ଜନ୍ତାରୀ ଜୁଆଙ୍ଗ ବସ୍ତିରେ । ଏହି ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଜୁଆଙ୍ଗ ପାରିବାର । ଵଣଜଙ୍ଗଲ ଉପରେ ନିର୍ଭର କରି ଏମାନେ ଜୀବନ ବିତାଇଥାନ୍ତି । କିନ୍ତୁ ଗତ ଏକ ମାସ ହେବ ଏମାନଙ୍କ ଉପରେ ଦାଉ ସାଧୁଛି ଅଜଣା ରୋଗ । ଏଥିରେ ଆକ୍ରାନ୍ତ ହୋଇ ମାସକ ମଧ୍ୟରେ ଗ୍ରାମରେ ୧0 ଜଣ ମୃତ୍ୟୁ ବରଣ କଲେଣି । ଏନେଇ ଖବର ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଆଜି ଗାଁରେ ପହଞ୍ଚିଛି ମେଡ଼ିକାଲ୍ ଟିମ୍। ବାଂଶପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପିଏ- ଆଇଟିଡିଏ, ସ୍ଵାସ୍ଥ୍ୟ ଅଧିକାରୀ, ଜୁଆଙ୍ଗ ଉନ୍ନୟନ ସଂସ୍ଥା ତଥା ସିଡିପିଓ ଗାଁରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଗାଁ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଛନ୍ତି।
ତେବେ ଏମେନେ ଅଶିକ୍ଷିତ ହୋଇଥିବାରୁ କେଉଁଥି ଅକାଳରେ ଜୀବନ ଚାଲିଯାଉଛି ତାହା ଜାଣଇ ପରିନଥିଲେ । ଏପରିକି ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଏବଂ ଗୋଟିଏ ଛୁଆ କିଛି ଦିନ ବ୍ୟବଧାନରେ ମୃତ୍ୟୁବରଣ କରିଥିବାବେଳେ ଏବେ ସେମାନଙ୍କ ଆଉ ୪ ଟି କୋମଳମତି ନାବାଳିକା ଅନାଥ ହୋଇଯାଇଛନ୍ତି । ଏବେବି ଗ୍ରାମରେ ଆହୁରି ୧୦ ରୁ ୧୫ ଜଣ ଏପରି ରୋଗରେ ପୀଡିତ ଅଛନ୍ତି | ଏପରିକି ବହୁଲୋକ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିବା ବେଳେ , ଶରୀର ପରିକ୍ଷା ପରେ ଦେହ ଠିକ ଅଛି କହି ଡାକ୍ତର ସେମାନଙ୍କୁ ଫେରେଇ ଦେଇଥିବା ଗ୍ରାମବାସୀ ଓ ରୋଗୀ ଅଭିଯୋଗ କରିଛନ୍ତି । ପାଖରେ ପଇସା ନଥିବାରୁ ସେମାନେ ଅଧିକା ଚିକିତ୍ସା ପାଇଁ ବାହାରକୁ ଯାଇପାରୁ ନାହାନ୍ତି । ଫଳରେ ଭାଗ୍ୟ କୁ ଆଦରି ଡରି ଡରି ଗାଁ ରେ ପଡି ରହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ତେବେ ଲୋକମାନେ ଜଣ୍ଡିସ, ରକ୍ତହୀନତା ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ଲୋକଙ୍କ ରକ୍ତ ଓ ଗାଁରୁ ପାନୀଜଳର ନମୂନା ସଂଗ୍ରହ କରିଛି ମେଡ଼ିକାଲ୍ ଟିମ୍। ଗାଁ ଲୋକଙ୍କ ମୃତ୍ୟୁ ଘଟଣାକୁ ସ୍ୱୀକାର କରିଛନ୍ତି ପିଏ(ଆଇଟିଡିଏ)। ମାସେ ନୁହେଁ, ତିନି ମାସରେ ଲୋକଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବାପା-ମାଆ ଛେଉଁଣ୍ଡ ପିଲାଙ୍କୁ ସହାୟତା ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।