ଛତିଶଗଡର ସୁରଜପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଛେଳିର ଆଖି ଜଣେ ବ୍ୟକ୍ତିର ମୃତ୍ୟୁ ହେବାର କାରଣ ପାଲଟିଛି | ଜଣେ ବ୍ୟକ୍ତି ଗୋଟିଏ ଛେଳିର ଆଖି କଞ୍ଚା ଗିଳିଦେଇଥିଲେ। କିନ୍ତୁ ଆଖିଟି ତାଙ୍କ ଗଳାରେ ଲାଖିଯାଇଥିଲା। ଫଳରେ ତାଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା | ଏହି ଘଟଣା ପରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣା ସୁରଜପୁର କୋଟୱାଲୀ ପୋଲିସ ଷ୍ଟେସନ ଅଧୀନରେ ଘଟିଛି।
କଥାରେ ଅଛି ଆମେ ଆଜି ଯାହାକୁ ମାରି ଖାଉଛୁ, ସେ ଆରଜନ୍ମରେ ଆମକୁ ଖାଇବ। କିନ୍ତୁ ଛତିଶଗଡ଼ରେ ଏହି ଜନ୍ମରେ ହିଁ ଛେଳି ନେଇଛି ତାର ପ୍ରତିଶୋଧ ଓ ତାକୁ ହତ୍ୟାକରିଥିବା ବ୍ୟକ୍ତିର ନେଇଛି ଜୀବନ।
ଗତ ରବିବାର ଦିନ ରାମାନୁଜନଗର ପୋଲିସ ଷ୍ଟେସନ ଅଞ୍ଚଳର ମଦନପୁର ଗାଁର ବାଗର ସିଂ (୪୫ ବର୍ଷ), ରାକେଶ ସିଂ ଏବଂ ଅନ୍ୟ ଜଣେ ଜିଲ୍ଲାର ପ୍ରସିଦ୍ଧ ଖୋପା ଧାମରେ ମାନସିକ ପୂରଣ ହେବା ପରେ ଗୋଟିଏ ବୋଦା ବଳି ଦେଇଥିଲେ। ଉକ୍ତ ଛେଳିର ମୁଣ୍ଡ ରାନ୍ଧିବା ଏବଂ ଖାଇବା ପାଇଁ ସେମାନେ ସୁରଜପୁର ନିକଟ ପ୍ୟାରୀ ଗାଁର ନର୍ସରୀରେ ପହଞ୍ଚିଥିଲେ। ଜଣେ ଯୁବକ ରୋଷେଇ ପାଇଁ ଛେଳିର ମୁଣ୍ଡ କାଟୁଥିଲେ।
ଏହି ସମୟରେ ବାଗର ସିଂ କହିଲେ ଯେ ସେ ଛେଳିର ଆଖି କଞ୍ଚା ଖାଇବେ। କିନ୍ତୁ ଏପରି ନ କରିବାକୁ ତାଙ୍କ ସହ ଥିବା ସାଥୀମାନେ ତାଙ୍କୁ ବାରଣ କରିଥିଲେ ଏବଂ ଆଖି ଭାଜି ଖାଇବାକୁ କହିଥିଲେ। କିନ୍ତୁ ବାଗର ସେମାନଙ୍କ କଥା ଶୁଣି ନଥିଲେ ଏବଂ ଆଖିକୁ କଞ୍ଚା ଗିଳି ଦେଇଥିଲେ। ହେଲେ ତଣ୍ଟିରେ ଅଟକି ଯାଇଥିଲା। ସେ ଏହାକୁ ଗିଳିବାକୁ ବହୁ ଚେଷ୍ଟା କରିଥିଲେ ବି ତାହା ତଣ୍ଟିରୁ ଆଉ ଭିତରକୁ ଯାଇ ନ ଥିଲା କି ବାହାରକୁ ବାହାରି ନ ଥିଲା। ଫଳରେ ନିଃଶ୍ବାସପ୍ରଶ୍ବାସ ନେଇ ନ ପାରି ସେ ସେଠାରେ ଭୂଇଁ ଉପରେ ପଡି ଛଟପଟ ହୋଇଥିଲେ। ଏହା ଦେଖି ସାଥିମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତରଖାନାରେ ଆଖିକୁ ତାଙ୍କ ଗଳାରୁ ବାହାର କରିବାକୁ ଡାକ୍ତରମାନେ ଚିକତ୍ସା ଆରମ୍ଭ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।