ଔଷଧର ଗୁଣବତ୍ତା ଉପରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ସଂସ୍ଥା, ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଆଣ୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଦ୍ୱାରା ନିକଟରେ ହୋଇଥିବା ପରୀକ୍ଷଣରେ 48 ଔଷଧ ମାନକରେ ଫେଲ ମାରିଛି। ଦେଶର ବହୁ ଔଷଧ ଉତ୍ପାଦନକାରୀ ସଂସ୍ଥାରୁ ସିଡିଏସସିଓ 1497 ଔଷଧକୁ ପରୀକ୍ଷଣ ପାଇଁ ନେଇଥିବା ବେଳେ ସେସବୁ ମଧ୍ୟରୁ 1449 ଔଷଧର ମାନକ ଠିକ ଥିବା ବେଳେ 48 ଔଷଧର ଗୁଣବତ୍ତା ନିର୍ଦ୍ଧାରିତ ଗୁଣବତ୍ତା ଠାରୁ କମ ରହିଛି।
ସିଡିଏସସିଓ ଦ୍ୱାରା ପରୀକ୍ଷାରେ ବିଫଳ ହୋଇଥିବା ଔଷଧ ମଧ୍ୟରେ ମୁଖ୍ୟତଃ ସାଧାରଣ ଭାବେ ବ୍ୟବହାର ହେଉଥିବା ଆଣ୍ଟି ଡାଇବେଟିକ, ଆଣ୍ଟି ବାୟୋଟିକ୍ସ, କ୍ୟାଲସିୟମ ତଥା ହୃଦରୋଗ ସହ ଜଡିତ ଔଷଧ ସାମିଲ ରହିଛି। ଏହା ବ୍ୟତୀତ ମଲ୍ଟି ଭିଟାମିନ, ଏଚଆଇଭି ପାଇଁ ବ୍ୟବହାର ହେଇଥିବା ରିଟୋନାଭିର, ବାତ ଔଷଧ ଗାବାପେଣ୍ଟିନ, ହାଇପରଟେନ୍ସନର ଔଷଧ ଟେଲମିସାରଟାନ, ଡାଇବେଟିସର ଔଷଧ ଗ୍ଲିମେପାରାଇଡ ଓ ମେଟଫର୍ମିନ ମଧ୍ୟ ସାମିଲ ରହିଛି।
ଏତଦଭିନ୍ନ, ଆଇରନ ଓ ଫଲିକ ଏସିଡ ଟାବଲେଟ, ପ୍ରୋବାୟୋଟିକ୍ସର ମଲ୍ଟିଭିଟାମିନ ଶ୍ରେଣୀରେ ଭିଟାମିନ ସି, ଭିଟାମିନବି12, ଆମୋଜିସିଲିନ, କ୍ୟାଲସିୟମ ଓ ଭିଟାମିନ ଡି3 ଟାବଲେଟ, ଟେଲମିସାରଟାନ ଟାବଲେଟ ଓ ମିସ୍ୱାକ ଟୁଥପେଷ୍ଟ ମଧ୍ୟ ଗୁଣବତ୍ତା ପରୀକ୍ଷାରେ ନିର୍ଦ୍ଧାରିତ ମାନଠାରୁ କମ ରହିଛି।