ବିଦ୍ୟୁତ ତାର ଲାଗି ୪ ଟି ହାତୀର ମୃତ୍ୟୁ, ବର୍ତ୍ତିଲେ୨

ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ୩ ଦିନ ତଳେ ଉଦବେଗ ପ୍ରକାଶ କରିବା ସହ ଏହାର ନିରାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ପକ୍ଷରୁ ମଧ୍ୟ ବହୁ ପଦକ୍ଷେପ ନିଆଯାଉଥିବା ବେଳେ କିନ୍ତୁ ହାତୀ ମୃତ୍ୟୁ ଉପରେ ରୋକ ଲାଗି ପାରୁ ନାହିଁ। ପୁଣି ଆନ୍ଧ୍ର  ଓଡିଶା ସୀମାରୁ ଆସିଛି ହାତୀ ମୃତ୍ୟୁ ନେଇ ସୂଚନା। ଗୋଟିଏ ନୁହେଁ କି ଦୁଇଟି ନୁହେଁ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଆଉ ଦୁଇଟି ଆସନ୍ନ ମୃତ୍ୟୁକୁ ଏଡାଇ ସେଠାରୁ ପଳାଇ ଯାଇଥିବା ସୂଚନା ମିଳିଛି।

ଆନ୍ଧ୍ରପ୍ରଦେଶ ମାନ୍ୟମ ଜିଲ୍ଲାର କାଟ୍ରାଗଡା ଗାଁ ନିକଟରୁ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ସେଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ସମସ୍ତ ୪ ହାତୀଙ୍କ ମୃତଦେହ ପଡିଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଆଉ ଦୁଇଟି ହାତୀ ନିକଟସ୍ଥ ଜଙ୍ଗଲକୁ ପଳାଯାଇଥିବା ସୂଚନା ମିଳୁଛି।

ମିଳିଥିବା ସୂଚନା ମୁତାବକ, ରାୟଗଡାର ଗୁଣୁପୁର ଅଞ୍ଚଳରେ ୬ ଟିକିଆ ହାତୀମାନେ ଆତଙ୍କ ଖେଳାଇ ଆସୁଥିଲେ। କିଛି ଦିନ ତଳେ ଏହି ହାତୀପଲ ଆନ୍ଧ୍ରର ମାନ୍ୟମ ଜିଲ୍ଲା ଆଡକୁ ଚାଲିଯାଇଥିବା ସୂଚନା ମିଳିଥିଲା। ସେଠାରେ ଫସଲ ନଷ୍ଟ ସହ ବ୍ୟାପକ କ୍ଷୟକ୍ଷତି କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ତେବେ ଆଜି ସକାଳୁ ହାତୀଙ୍କ ମୃତଦେହ ମିଳିଛି। ଆଜି ଭୋର ସମୟରେ ସେହି ଅଞ୍ଚଳରେ ୬ ଟିକିଆ ହାତୀପଲ  ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ମିଞ୍ଜିମିଞ୍ଜିଆ ଅନ୍ଧାରରେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ସେଠାରେ ହିଁ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ଏହି ଦୁର୍ଘଟଣାରୁ ବର୍ତ୍ତି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଶ୍ରୀକାକଲମ ଜିଲ୍ଲା ଡିଏଫଓ ସମେତ ଉଚ୍ଚସ୍ତରୀୟ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *