Month: May 2023

  • ଘାଟିରେ ଆତଙ୍କବାଦୀ ହେବ ଦୁର୍ବଳ, ୧୪ଟି ମୋବାଇଲ ଆପ୍ଲିକେସନ ହେଲା ବ୍ଳକ

    ଘାଟିରେ ଆତଙ୍କବାଦୀ ହେବ ଦୁର୍ବଳ, ୧୪ଟି ମୋବାଇଲ ଆପ୍ଲିକେସନ ହେଲା ବ୍ଳକ

    ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ସାଧାରଣତଃ ଆତଙ୍କବଦୀ ମାନେ ନିଜର ଅସ୍ତିତ୍ବକୁ ବଜାୟ ରଖିବା ପାଇଁ ଇଣ୍ଟରନେଟ ଆଉ ମୋବାଇଲ ଆପ୍ସ ର ବହୁଳ ବ୍ୟବହାର କରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଷଡଯନ୍ତ୍ର ଓ ଆକ୍ରମଣରେ ଆତଙ୍କବାଦୀଙ୍କୁ ସୁହାଉଥିବା ୧୪ଟି ମ୍ୟସେଜ ଅପ୍ଲିକେସନକୁ ବ୍ଳକ କରିଛି କେନ୍ଦ୍ର ସରକାର । ଏହି ଆପ୍ଲିକେସନ ଜରିଆରେ ଘାଟିରେ ଥିବା ଆତଙ୍କବାଦୀ ମାନେ ସେମାନଙ୍କ ଲିଡରଙ୍କ ସହିତ ଯୋଗାଯୋଗ କରନ୍ତି ।

    ପ୍ରଥମେ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ପରେ ଜଣାପଡିଥିଲା ଯେ, ସେମାନେ ଆପ୍ସ ଜରିଆରେ ଅତି ସହଜରେ ତାଙ୍କ ଅଧିକାରୀଙ୍କୁ ତଥ୍ୟ ଯୋଗାଇ ପାରୁଛନ୍ତି । ତେଣୁ ୧୪ଟି ମୋବାଇଲ ଆପ୍ଲିକେସନ ବିଷୟରେ ଜଣାପଡିବା ପରେ ସୁରକ୍ଷା ବଳ, ଗୁଇନ୍ଦା ଓ ଯାଞ୍ଚ ଏଜେନ୍ସି ଏହାକୁ ବ୍ଲକ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । ତେଣୁ କେନ୍ଦ୍ର ସରକାର ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଏପରି ନିଷ୍ପତ୍ତି ନେଇଛନ୍ତି ।

  • ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି, କମିଲା କମର୍ସିଆଲ୍ ଗ୍ୟାସ୍ ଦର

    ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି, କମିଲା କମର୍ସିଆଲ୍ ଗ୍ୟାସ୍ ଦର

    ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ଖୁସି ଖବର ଦେଲେ ପେଟ୍ରୋଲିୟମ କମ୍ପାନୀ । ଶସ୍ତା ହୋଇଛି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ୧୭୧ ଟଙ୍କା ୫୦ ପଇସା ହ୍ରାସ କରିଛନ୍ତି ପେଟ୍ରୋଲିୟମ କମ୍ପାନୀ । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି ।

    ଦର ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧୮୫୬ ଟଙ୍କା ୫୦ ପଇସା ହୋଇଛି । ସେପଟେ କିନ୍ତୁ ଘରୋଇ ଗ୍ୟାସ୍ ସିଲିଣ୍ଡରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହାପୂର୍ବରୁ ଏପ୍ରିଲ ୧ରେ ମଧ୍ୟ କମର୍ସିଆଲ ଗ୍ୟାସ୍ ଦର ୯୧ ଟଙ୍କା ୫୦ ପଇସା କମିଥିଲା । ଲଗାତାର ୨ ମାସରେ କମର୍ସିଆଲ ଗ୍ୟାସ୍ ଦର ୨୬୩ ଟଙ୍କା ଶସ୍ତା ହେଲାଣି । ପ୍ରତି ମାସର ପ୍ରଥମ ତାରିଖରେ ପେଟ୍ରୋଲିୟମ୍ କମ୍ପାନୀଗୁଡ଼ିକ ଗ୍ୟାସ୍ ଦର ନିର୍ଦ୍ଧାରଣ କରିଥାନ୍ତି । କମର୍ସିଆଲ୍ ଗ୍ୟାସ୍ ଦର ହ୍ରାସ ପରେ ଗ୍ରାହକଙ୍କୁ ଏହା ସାମାନ୍ୟ ଆଶ୍ୱସ୍ତି ଦେଇଛି ।

  • ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଥିବା ଖବର ଆସିବା ପରେ ଆତଙ୍କିତ ଯାତ୍ରୀ

    ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଥିବା ଖବର ଆସିବା ପରେ ଆତଙ୍କିତ ଯାତ୍ରୀ

    ପୁଣିରେ ଟ୍ରେନରେ ବୋମା ଖବରକୁ ନେଇ ହଡକମ୍ପ । ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଥିବା ଖବର ଆସିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଘଟଣା ସ୍ଥଳରେ ଡଗ ସ୍କ୍ୱାର୍ଡ ଓ ବୋମା ନିଷ୍କ୍ରିୟକାରୀ ଦଳ ସହିତ ସ୍ଥାନୀୟ ପୁଲିସ ଓ ଜିଆରପି ପୁଲିସ ପହଞ୍ଚି ଯାଞ୍ଚ କରିଛନ୍ତି । ଟ୍ରେନ୍ ଇଞ୍ଜିନରେ ବୋମା ଖଞ୍ଜା ଯାଇଥିବା ଖବର ମିଳିବା କ୍ଷଣି ଇଞ୍ଜିନ ଯାଞ୍ଚ ହେବା ସହ ଗୋଟିଏ ପରେ ଗୋଟିଏ ବଗିର ଚେକିଂ କରାଯାଇଥିଲା ।

    ସୂଚନା ମୁତାବକ, ଜଣେ ଗାର୍ଡ ଷ୍ଟେସନ ମାଷ୍ଟରଙ୍କୁ ଟ୍ରେନରେ ବୋମା ଥିବା ସୂଚନା ଦେଇଥିଲେ । ଏହାପରେ ସତର୍କ ହେଇଥିଲା ରେଳ ବିଭାଗ । ଟ୍ରେନରେ ବୋମା ଥିବା ଖବର ମିଳିବା ପରେ ଉତ୍ତରପ୍ରଦେଶର ମିର୍ଜାପୁର ନିକଟ ଚୁନାର ଷ୍ଟେସନରେ ଟ୍ରେନଟିକୁ ଅଟକାଯାଇଥିଲା । ଯାଞ୍ଚ ପରେ ବୋମାର କୌଣସି ସନ୍ଧାନ ନମିଳିବାରୁ ପୁଣି ଯାତ୍ରା ଆରମ୍ଭ କରିଛି । ଏହା ଏକ ଗୁଜବ ବୋଲି କହିଛି ରେଳ ବିଭାଗ ।

  • ‘ବିଶ୍ୱ ଶ୍ରମିକ ଦିବସ’ରେ ଶ୍ରମିକଙ୍କୁ ସମ୍ମାନିତ କରିବା, ଅଧିକାର ପ୍ରତି ଗୁରୁତ୍ୱ ଦେବା

    ‘ବିଶ୍ୱ ଶ୍ରମିକ ଦିବସ’ରେ ଶ୍ରମିକଙ୍କୁ ସମ୍ମାନିତ କରିବା, ଅଧିକାର ପ୍ରତି ଗୁରୁତ୍ୱ ଦେବା

    ଆଜି ବିଶ୍ୱ ଶ୍ରମିକ ଦିବସ । ପ୍ରତିବର୍ଷ ମେ’ ୧ ତାରିଖରେ ଏହାକୁ ପାଳନ କରାଯାଏ । ଶ୍ରମିକମାନଙ୍କୁ ସମ୍ମାନିତ କରିବା, ସେମାନଙ୍କ କାମକୁ ସମ୍ମାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଆଜିର ଦିନରେ ଶ୍ରମିକଙ୍କ ତ୍ୟାଗ ଓ ଅବଦାନ ମନେ ପଡ଼େ । ଏହା ଯେ କେବଳ ଶ୍ରମିକଙ୍କ ପ୍ରତି ସମ୍ମାନର ବିଷୟ ତା ନୁହେଁ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ।

    ୮ ଘଣ୍ଟା କାର୍ଯ୍ୟ ସମୟ ଦାବି ଜୋର୍ ଧରିବା ପରେ ବିଶ୍ୱ ଶ୍ରମିକ ଦିବସର ସୃଷ୍ଟି । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ଆମେରିକାରେ ଆରମ୍ଭ ଆନ୍ଦୋଳନ ଶେଷରେ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ବେଶ୍ ପ୍ରଭାବିତ କରିଥଲା ।

    ଆମ ଦେଶରେ ୧୯୨୩ରୁ ଶ୍ରମିକ ଦିବସ ପାଳନ ପାଳିତ ହୋଇ ଆସୁଛି । ଦେଶରେ ଶ୍ରମିକମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା କରିବାକୁ ପ୍ରଥମେ ଭାରତୀ ମଜଦୁର କିଷାନ ପାର୍ଟି ପକ୍ଷରୁ ଦାବି ହୋଇଥିଲା । ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ କରିଥିଲେ । ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଣ୍ଟା ଶ୍ରମ ନିର୍ଘଣ୍ଟକୁ ସ୍ୱୀକୃତି ଦେଇଥିଲେ । ସେହିଦିନ ଠାରୁ ଶ୍ରମିକ ଦିବସରେ ସରକାରୀ ଛୁଟି ଘୋଷଣା ହୋଇଥିଲା । ହେଲେ ଆଜି ବି ଏ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଛି । ସମାଜ,ଦେଶ ଓ ଶିଳ୍ପର ବିକାଶ ପାଇଁ ଶ୍ରମିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

    ‘ବିଶ୍ୱ ଶ୍ରମିକ ଦିବସ’ଅବସରରେ ଶ୍ରମିକ ଭାଇମାନଙ୍କର କଠିନ ପରିଶ୍ରମ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅମୂଲ୍ୟ ଅବଦାନକୁ #Suchanatv24x7 ପ୍ରଣାମ କରୁଛି । ଆସନ୍ତୁ,ଏହି ଅବସରରେ ଶ୍ରମିକମାନଙ୍କର ସମ୍ମାନ,ସ୍ୱାସ୍ଥ୍ୟ ଏବଂ ସ୍ୱାର୍ଥରକ୍ଷା ନିଶ୍ଚିତ କରି ସେମାନଙ୍କର କଲ୍ୟାଣ କରିବାକୁ ସଂକଳ୍ପବଦ୍ଧ ହେବା ।

  • ଡରରେ ଛାନିଆ ପାକିସ୍ତାନ, ଜି -20ର ବିରୋଧ ପାଇଁ ଅନ୍ୟ ଦେଶ ଗୁଡିକୁ ଲେଖୁଛି ଚିଠି

    ଡରରେ ଛାନିଆ ପାକିସ୍ତାନ, ଜି -20ର ବିରୋଧ ପାଇଁ ଅନ୍ୟ ଦେଶ ଗୁଡିକୁ ଲେଖୁଛି ଚିଠି

    ଚଳିତ ମାସରେ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -20 କାର୍ଯ୍ୟକ୍ରମକୁ ନେଇ ପାକିସ୍ତାନ ଚିନ୍ତା ପ୍ରକଟ କରିଛି । ଗୋଟିଏ ପଟେ ପାକିସ୍ତାନ ବିଶ୍ବର ଦେଶମାନଙ୍କୁ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଚିଠି ଲେଖୁଥିବା ବେଳେ ଅନ୍ୟ ପଟେ ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବିରୋଧରେ ଜି -20 ହ୍ୟାସଟ୍ୟାଗ ସୃଷ୍ଟି କରିବାକୁ ଏକ ଷଡଯନ୍ତ୍ର ରଚୁଛି । ଯେମିତି ଭାରତ ବିଶ୍ୱସନୀୟତା ହରାଇବ ।

    ଏହି ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମେ 2ରୁ ମେ 7 ପର୍ଯ୍ୟନ୍ତ ବ୍ରିଟେନ ଗସ୍ତରେ ଯାଉଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଶାହାବାଜ ଚଳିତ ମାସ 6 ରେ ହେବାକୁ ଥିବା କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଲଣ୍ଡନ ଯାଉଛନ୍ତି । ହେଲେ ଅନୁମାନ କରାଯାଉଛି ସେଠି ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜି -20 କାର୍ଯ୍ୟକ୍ରମ ପ୍ରସଙ୍ଗ ଉଠାଇ ପାରନ୍ତି ।

    22ରୁ 24 ମେ ପର୍ଯ୍ୟନ୍ତ ଶ୍ରୀନଗରରେ ଜି -20ର ଟୁରିଜିମ୍ ୱାର୍କିଂ ଗ୍ରୁପର ଏକ ବୈଠକ ହେବ । ଅଗଷ୍ଟ 2019 ପରେ ଏହା ପ୍ରଥମ ପ୍ରମୁଖ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ହୋଇଥିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ପର୍ଯ୍ୟଟନ କାର୍ଯ୍ୟ ଗୋଷ୍ଠୀର ବୈଠକ ଜାମ୍ମୁ କାଶ୍ମୀରକୁ ଆଗ୍ରାଧିକାର ଦେବା ଉପରେ ଧ୍ୟାନ ଦେବ ।

    ଏପ୍ରିଲ୍ 17ରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବାଂଲାଦେଶକୁ ଏଭଳି ଏକ ଚିଠି ପଠାଇଛି, ଯେଉଁଥିରେ କାଶ୍ମୀରକୁ ନେଇ ଭାରତ ବିରୋଧରେ ଅନେକ ହାସ୍ୟାସ୍ପଦ ଆଲୋଚନା ରହିଛି । ଦିଲ୍ଲୀରେ ଅବସ୍ଥିତ ପାକିସ୍ତାନୀ ହାଇ କମିଶନଙ୍କ ଦ୍ୱାରା ବାଂଲାଦେଶକୁ ପଠାଯାଇଥିବା ଏକ ଦଲିଲରେ କୁହାଯାଇଛି ଯେ, କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ରହିଛି ଏବଂ ପାକିସ୍ତାନ ଭଳି ବାଂଲାଦେଶ ମଧ୍ୟ ଜି -20କୁ ବର୍ଜନ କରିବା ଉଚିତ । ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି -20 ବିରୋଧରେ କୂଟନୈତିକ ସ୍ତରରେ ପାକିସ୍ତାନ ନିଜର ଉଦ୍ୟମକୁ ଜୋରଦାର କରିଛି ।