ଆତିକ ଓ ଅସରଫ ଶରୀରରେ ଲାଗିଛି 14 ଗୁଳି: ପୋଷ୍ଟମର୍ଟମ ରିପୋର୍ଟ

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆତିକ ଅହମଦ ଓ ତାର ଭାଇର ଶବ ବ୍ୟବଚ୍ଛେଦ ରବିବାର ହୋଇଛି। ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି କି, ଆତିକର ଶରୀରରେ 9 ଗୁଳି ଲାଗିଥିବା ବେଳେ ଅସରଫ ଶରୀରରେ ବାଜିଛି 5 ଗୁଳି। ଉଭୟଙ୍କ ଶରୀରରେ ଡାକ୍ତର 14 ଗୁଳିର ଚିହ୍ନ ପାଇଛନ୍ତି। ଏକ ଡାକ୍ଚରୀ ଟିମ ଏହି ପୋଷ୍ଟମର୍ଟମ କରିଥିବା ବେଳେ ଟିମରେ 5 ଜଣ ବରିଷ୍ଠ ଡାକ୍ତର ଥିଲେ। ପୂରା ପୋଷ୍ଟମର୍ଟମକୁ  ଭିଡିଓଗ୍ରାଫି କରାଯାଇଛି।

ପୋଷ୍ଟମର୍ଟମରୁ ଜଣାପଡିଛି କି, ଆତିକର ମୁଣ୍ଡରେ ଗୋଟିଏ ଗୁଳି ଲାଗିଥିବା ବେଳେ 8 ଗୁଳି ତାର ଛାତି ଓ ପିଠିରେ ଲାଗିଥିଲା। ସେହିପରି ଅସରଫର ମୁହଁରେ 1 ଗୁଳି ଲାଗିଥିବା ସହ 4ଟି ତାର ପିଠିରେ ବାଜି ଆରପଟେ ବାହାରି ଯାଇଥିଲା। ଶନିବାର ରାତିରେ ଉଭୟଙ୍କୁ ମେଡିକାଲ ଯାଞ୍ଚ ପାଇଁ ଅଣାଯାଇଥିବା ବେଳେ ଯେତେବେଳେ ମିଡିଆକୁ ବାଇଟ ଦେଉଥିଲେ ମିଡିଆ କର୍ମୀଙ୍କ ବେଶରେ 3 ଜଣ ଆସି ସେମାନଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲେ। ଆତିକକୁ ସାବରମତି ଜେଲ ଓ ଅସରଫକୁ ବରେଲି ଜେଲରୁ ପ୍ରୟାଗରାଜ ଯାଞ୍ଚ ପାଇଁ ଅଣାଯାଇଥିଲା।

ଆତିକ ଓ ଅସରଫଙ୍କ ହତ୍ୟା ପରେ ତେଜିଛି ରାଜନୀତି। ଯୋଗୀ ସରକାର ଉପରେ ଉଠିଛି ଅଙ୍ଗୁଳି। ଅନ୍ୟପଟେ ଏହି ମାମଲା ସୋମବାର ଦିନ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏଥିସହ, 2017ରୁ ୟୁପିରେ ଯୋଗୀ ସରକାର ସମୟରେ ହୋଇଥିବା 187 ଏନକାଉଣ୍ଟର ଯାଞ୍ଚ କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *