ରଜ ଉତ୍ସବରେ କଳାର ମହାକୁମ୍ଭ, କୋରାପୁଟରେ ଜମିଲା କଳାକାର ସଙ୍ଗମ

ପହିଲି ରଜ ଅବସରରେ ଆସ୍ତେଟିକ କୋରାପୁଟ ପକ୍ଷରୁ ସୁନାବେଡାସ୍ଥିତ ସୌମ୍ୟ ଅରିଜିନାଲ ଷ୍ଟୁଡିଓରେ ଏକ ଭବ୍ୟ “କଳାକାର ସଙ୍ଗମ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆସ୍ତେଟିକ କୋରାପୁଟର ପ୍ରତିଷ୍ଠାତା ସ୍ମିତା ରାଣୀ ସୀସା ଓ ସହ ପ୍ରତିଷ୍ଠାତା ସ୍ନିଗ୍ଧା ରାଣୀ ପାଢ଼ୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ନିଜ ନିଜର ଲୋକାୟତ ପ୍ରତିଭାକୁ ପ୍ରଥମ ଥର ପାଇଁ ଏକ ସାମୂହିକ ମଞ୍ଚରେ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। କବିତା ପାଠ, ନୃତ୍ୟ ଓ ସଙ୍ଗୀତ ଭଳି ବିଭିନ୍ନ କଳାଧାରାର ଉଚ୍ଚକୋଟିର ପରିବେଷଣ ଦର୍ଶକଙ୍କ ମନକୁ ମୁଗ୍ଧ କରିଥିଲା।

କାର୍ଯ୍ୟକ୍ରମର ପ୍ରୟୋଜନା କରିଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଏଥିରେ ପ୍ରାୟ ୨୦ରୁ ଅଧିକ କଳାକାର ଭାଗ ନେଇଥିଲେ। ନବରଙ୍ଗପୁର, ଜୟପୁର, ଦମନଯୋଡ଼ି, ସୁନାବେଡା ଓ କୋରାପୁଟ ସହ ବିଭିନ୍ନ ଅଞ୍ଚଳରୁ କଳାକାରମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ଅବସରରେ ୱାର୍ଡ ନମ୍ବର–୧ର କାଉନ୍ସିଲର ସ୍ୱର୍ଣ୍ଣପ୍ରଭା ପଟ୍ଟନାୟକ, ସମାଜସେବୀ ଅଶ୍ୱିନ ପଟ୍ଟନାୟକ, ଚନ୍ଦନ ପଟ୍ଟନାୟକଙ୍କ ସହ ଅନେକ ବରିଷ୍ଠ କଳାକାର ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମର ଶେଷରେ ଶିବାନୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ କଳାକାରମାନେ ଆସ୍ତେଟିକ କୋରାପୁଟ ଓ ସୌମ୍ୟ ଅରିଜିନାଲ ଷ୍ଟୁଡିଓର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଥିଲେ।ପହିଲି ରଜ ଅବସରରେ ଆୟୋଜିତ ଏହି କଳାକାର ସଙ୍ଗମ କୋରାପୁଟ ଜିଲ୍ଲାର ସାଂସ୍କୃତିକ ପରିବେଶକୁ ଆହୁରି ସମୃଦ୍ଧ କରିବା ସହ ସ୍ଥାନୀୟ ପ୍ରତିଭାମାନଙ୍କ ପାଇଁ ଏକ ସୁନ୍ଦର ମଞ୍ଚ ସୃଷ୍ଟି କରିଛି।