ଭାରତୀୟ ସେନାର ଶକ୍ତି ବଢ଼ିବ: ମାଇନ୍ ଫିଲ୍ଡରେ ବି ଗର୍ଜିବ ଟି-୭୨ ଓ ଟି-୯୦ ଟ୍ୟାଙ୍କ

ଭାରତୀୟ ସେନାର ମାଇନ୍-ସୁଇପିଂ କ୍ଷମତାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ଼ ପଦକ୍ଷେପ ନେଇଛି। ଶତ୍ରୁ ପକ୍ଷ ବିଛାଇଥିବା ମାଇନ୍ ବା ବୋମାକୁ ଚକମା ଦେଇ ରଣକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭାରତୀୟ ସେନାକୁ ମିଳିବାକୁ ଯାଉଛି ଆଧୁନିକ ‘ଟ୍ରଲ୍ ଆସେମ୍ବଲି’। ଏଥିପାଇଁ ପ୍ରାୟ ୯୭୫ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଉପକରଣଟି ସମ୍ପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ DRDO ଦ୍ୱାରା ବିକଶିତ ହୋଇଛି। ଏହା ଟ୍ୟାଙ୍କର ସମ୍ମୁଖ ଭାଗରେ ଖଞ୍ଜା ଯାଇଥାଏ। ଯୁଦ୍ଧ ସମୟରେ ଶତ୍ରୁ ପକ୍ଷ ରାସ୍ତାରେ ଆଣ୍ଟି-ଟ୍ୟାଙ୍କ ମାଇନ୍ ବିଛାଇ ଟ୍ୟାଙ୍କକୁ ରୋକିବାକୁ ଚେଷ୍ଟା କରନ୍ତି। ଏହି ଟ୍ରଲ୍ ଆସେମ୍ବଲି ସେହି ମାଇନ୍‌ଗୁଡ଼ିକୁ ଚିହ୍ନଟ କରି ନଷ୍ଟ କରିଦିଏ ଏବଂ ଟ୍ୟାଙ୍କ ପାଇଁ ଏକ ନିରାପଦ ରାସ୍ତା ତିଆରି କରେ।

ଏହା ବିଶେଷ କରି ‘ପ୍ରୋକ୍ସିମିଟି ମ୍ୟାଗ୍ନେଟିକ୍ ଫ୍ୟୁଜ୍’ ସହିତ ସଜ୍ଜିତ ଆଧୁନିକ ମାଇନ୍‌ଗୁଡ଼ିକୁ ମଧ୍ୟ ନିଷ୍କ୍ରିୟ କରିବାରେ ସକ୍ଷମ। ଏହାଦ୍ୱାରା ଭାରତର ଶକ୍ତିଶାଳୀ T-72 ଏବଂ T-90 ଯୁଦ୍ଧ ଟ୍ୟାଙ୍କଗୁଡ଼ିକ କୌଣସି କ୍ଷତି ନଘଟି ସହଜରେ ମାଇନ୍ ଫିଲ୍ଡ ପାର କରିପାରିବେ। ଏହି ନୂତନ ସାମରିକ ଉପକରଣ ସାମିଲ ହେବା ଫଳରେ ଭାରତୀୟ ସେନାର ଆକ୍ରମଣ କରିବା କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ। ବିଶେଷ କରି ସୀମାନ୍ତ ଅଞ୍ଚଳରେ ଯୁଦ୍ଧ ସମୟରେ ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ସାମରିକ ଯାନଗୁଡ଼ିକ ଅଟକିବେ ନାହିଁ, ଯାହା ଶତ୍ରୁ ପକ୍ଷ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ। “ଏହା କେବଳ ଏକ ଉପକରଣ ନୁହେଁ, ବରଂ ରଣକ୍ଷେତ୍ରରେ ସେନାର ଗତିଶୀଳତାକୁ ବଜାୟ ରଖିବା ପାଇଁ ଏକ ବ୍ରହ୍ମାସ୍ତ୍ର। ଅଭିଯାନ ଅନ୍ତର୍ଗତ ଏହି ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର ଦେଶର ପ୍ରତିରକ୍ଷା ଶକ୍ତିକୁ ଏକ ନୂଆ ଶିଖରକୁ ନେଇଯିବ।