ଓଡ଼ିଶା ସୀମା ସିଲ୍, ଜଳେଶ୍ୱର ସୀମାନ୍ତରେ ହାଇ-ଆଲର୍ଟ

ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଉତ୍ତର ଓ ଦକ୍ଷିଣ ବଙ୍ଗର ମୋଟ ୧୫୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ଜଳେଶ୍ୱର ଏସଡିପିଓ ସୁବ୍ରତ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମର୍ଦ୍ଦା ଆଇଆଇସି ଏବଂ ଜଳେଶ୍ୱର ପୋଲିସ ବାହିନୀ ସୀମାନ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରିଛନ୍ତି।

ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସୀମାନ୍ତବର୍ତ୍ତୀ ଅଞ୍ଚଳ ଯେପରିକି ଦାରୁହି, କୁରୁଣି ବେଲଦା ସମେତ ସମସ୍ତ ଛୋଟ-ବଡ଼ ପ୍ରବେଶ ପଥରେ ଯାନବାହନ ଯାଞ୍ଚକୁ ଜୋରଦାର କରାଯାଇଛି। ସୀମାନ୍ତ ଚେକ୍ ପୋଷ୍ଟଗୁଡ଼ିକରେ ପ୍ରତିଟି ଗାଡ଼ିର ତଲାସି ନିଆଯାଉଛି। ମଦ, ନଗଦ ଟଙ୍କା କିମ୍ବା କୌଣସି ବିପଜ୍ଜନକ ସାମଗ୍ରୀର ଚୋରା ଚାଲାଣ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଓଡ଼ିଶା ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରାଯାଉଛି, ଯଦ୍ୱାରା ନିର୍ବାଚନ ସମୟରେ ସୀମା ପାର୍ ହୋଇ କୌଣସି ଅସାମାଜିକ ତତ୍ତ୍ୱ ଅନୁପ୍ରବେଶ କରିପାରିବେ ନାହିଁ। ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

ସୀମା ଅତିକ୍ରମ କରୁଥିବା ଲୋକଙ୍କ ପରିଚୟ ପତ୍ର ଯାଞ୍ଚ କରାଯିବା ସହ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟାନ୍ୟ ଯାତାୟାତ ଉପରେ କିଛିଟା କଟକଣା ଲଗାଯାଇଛି। ଆସନ୍ତାକାଲି ମତଦାନ ଶେଷ ହେବା ପର୍ଯ୍ୟନ୍ତ ଏହି ହାଇ-ଆଲର୍ଟ ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ସୀମାନ୍ତରେ ସଶସ୍ତ୍ର ପୋଲିସ ବାହିନୀ ମୁତୟନ ହେବା ସହ ୨୪ ଘଣ୍ଟିଆ ନଜର ରଖାଯାଇଛି।