ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ବନ୍ଦୀ ଥିବା ୮ ଜଣ ମହିଳାଙ୍କ ଜୀବନ ରକ୍ଷା ପାଇଁ ଏକ ଭାବପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ମହିଳାମାନଙ୍କ ଫଟୋ ସେୟାର କରି ଟ୍ରମ୍ପ ଇରାନୀ ନେତାମାନଙ୍କୁ ସେମାନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିବା ସହ ଏହାକୁ ଏକ “ନୂତନ ଆଲୋଚନାର ଶୁଭାରମ୍ଭ” ବୋଲି ଅଭିହିତ କରିଛନ୍ତି। ସୂଚନା ଅନୁସାରେ, ଜାନୁଆରୀ ମାସରେ ଇରାନରେ ହୋଇଥିବା ବିଦ୍ରୋହ ଓ ପ୍ରତିବାଦ ସମୟରେ ଏହି ୮ ଜଣ ମହିଳାଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଖୁବଶୀଘ୍ର ମୃତ୍ୟୁଦଣ୍ଡ ଦିଆଯିବା ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ଅନଲାଇନରେ ଖବର ଭାଇରାଲ ହେବା ପରେ ଟ୍ରମ୍ପ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି।

ମୁଁ ଇରାନୀ ନେତାମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହି ମହିଳାମାନଙ୍କୁ କୌଣସି କ୍ଷତି ନ ପହଞ୍ଚାନ୍ତୁ। ଯଦି ଆପଣ ସେମାନଙ୍କୁ ମୁକ୍ତ କରନ୍ତି, ତେବେ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ରହିବି ଏବଂ ଏହା ଆମ ମଧ୍ୟରେ ଆଲୋଚନାର ଏକ ମହାନ ଆରମ୍ଭ ହେବ। ଭାଇରାଲ ପୋଷ୍ଟ ଅନୁସାରେ ଏହି ମହିଳାମାନେ ହେଉଛନ୍ତି:
୧. ବିତା ହେମ୍ମାତି, ୨. ଗଜଲ୍ ଗାଲାନ୍ଦରୀ, ୩. ଗୋଲନାଜ୍ ନାରାଘି, ୪. ଭେନସ୍ ହୋସେନ୍ ନେଜାଦ୍, ୫. ପନାହ ମୋଭାହେଦି, ୬. ଏନସିହ୍ ନେଜାତି, ୭. ମହବୁବେ ଶାବାନି ଏବଂ ୮. ଡାଏନା ତାହେର ଆବାଦି। ସେମାନଙ୍କ ମଧ୍ୟରୁ କିଏ ବିଦ୍ରୋହକୁ ଉସୁକାଇବା ତ କିଏ ପ୍ରତିବାଦରେ ଅଂଶଗ୍ରହଣ କରିବା ଅଭିଯୋଗରେ ବନ୍ଦୀ ଅଛନ୍ତି। ଗୋଲନାଜ୍ ନାରାଘି ଜଣେ ଡାକ୍ତର ହୋଇଥିବା ବେଳେ ସେ ଜାନୁଆରୀରୁ କାରାଗାରରେ ଅଛନ୍ତି। ତେବେ ଏହି ପ୍ରସଙ୍ଗରେ ଇରାନର ଆଟର୍ଣ୍ଣି ଜେନେରାଲ ଏହି ମୃତ୍ୟୁଦଣ୍ଡ ଖବରକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି। ରିପୋର୍ଟ ଅନୁସାରେ, ଏହି ମହିଳାମାନଙ୍କ ସ୍ୱାଧୀନ ଯାଞ୍ଚ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆୟଲ ୟାକୁବି ନାମକ ଜଣେ ଗବେଷକ ପ୍ରଥମେ ଏହି ଘଟଣାକୁ ସାମ୍ନାକୁ ଆଣିଥିଲେ। ସେ ଦାବି କରିଛନ୍ତି ଯେ ବିଶ୍ୱ ସମ୍ପ୍ରଦାୟ ଏହି ପ୍ରସଙ୍ଗରେ ନୀରବ ରହିଥିବା ବେଳେ ଟ୍ରମ୍ପଙ୍କ ଏହି ପୋଷ୍ଟ ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।