ବିଶ୍ୱରେ ବଢ଼ୁଛି ଫୁଡ୍ ପଏଜନିଂ ମାମଲା, WHOର ଚିନ୍ତାଜନକ ରିପୋର୍ଟ

ବିଶ୍ୱବ୍ୟାପୀ ଭାବେ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। World Health Organization (WHO) ପକ୍ଷରୁ ପ୍ରକାଶିତ ଏକ ନୂତନ ରିପୋର୍ଟ ଅନୁସାରେ, ଅସୁରକ୍ଷିତ ଏବଂ ଦୂଷିତ ଖାଦ୍ୟ ସେବନ କାରଣରୁ ପ୍ରତିବର୍ଷ କୋଟି କୋଟି ଲୋକ ବିଭିନ୍ନ ଗୁରୁତର ରୋଗରେ ଆକ୍ରାନ୍ତ ହେଉଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ପ୍ରତିବର୍ଷ ପ୍ରାୟ ୮୮.୬ କୋଟି ଲୋକ ବିଷାକ୍ତ କିମ୍ବା ଦୂଷିତ ଖାଦ୍ୟ ସେବନ କରି ଅସୁସ୍ଥ ହେଉଛନ୍ତି। ଏହା ଫଳରେ ଡାଏରିଆ, ଖାଦ୍ୟ ବିଷାକ୍ତତା, ଆନ୍ତ୍ରିକ ସଂକ୍ରମଣ ଓ ଅନ୍ୟାନ୍ୟ ଗୁରୁତର ରୋଗର ଝୁମ୍ପ ବଢ଼ୁଛି। ବିଶେଷକରି ଶିଶୁ, ବୃଦ୍ଧ ଓ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଏହାର ସର୍ବାଧିକ ପ୍ରଭାବରେ ପଡ଼ୁଛନ୍ତି।

WHO ୨୦୦୦ ରୁ ୨୦୨୧ ମଧ୍ୟରେ ୧୯୪ଟି ଦେଶରେ କରାଯାଇଥିବା ବିସ୍ତୃତ ସର୍ଭେ ଓ ତଥ୍ୟ ବିଶ୍ଳେଷଣ ପରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁସାରେ ଖାଦ୍ୟ ଉତ୍ପାଦନ, ସଂରକ୍ଷଣ, ପରିବହନ ଏବଂ ବିକ୍ରୟ ପ୍ରକ୍ରିୟାରେ ସଠିକ୍ ସ୍ୱଚ୍ଛତା ଓ ସୁରକ୍ଷା ମାନଦଣ୍ଡ ଅନୁସରଣ ନହେବା ଦୂଷିତ ଖାଦ୍ୟର ପ୍ରମୁଖ କାରଣ ହୋଇଛି।ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଖାଦ୍ୟ ପ୍ରସ୍ତୁତି ପୂର୍ବରୁ ହାତ ସଫା କରିବା, ଖାଦ୍ୟକୁ ଭଲଭାବେ ରାନ୍ଧିବା, ସୁରକ୍ଷିତ ପାଣି ବ୍ୟବହାର କରିବା ଏବଂ ଖାଦ୍ୟ ସଂରକ୍ଷଣରେ ସଚେତନତା ରଖିବା ଦ୍ୱାରା ଏପରି ରୋଗର ଝୁମ୍ପକୁ ଅନେକାଂଶରେ କମାଯାଇପାରିବ।ଏହି ରିପୋର୍ଟ ବିଶ୍ୱର ସମସ୍ତ ଦେଶକୁ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଖାଦ୍ୟ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ବଢ଼ାଇବା ପାଇଁ ସତର୍କ ସଙ୍କେତ ଦେଇଛି।