କୋରେଇ ଉନ୍ନୟନ ପରିଷଦର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋରେଇ ଉନ୍ନୟନ ପରିଷଦର ପଞ୍ଚମ ବାର୍ଷିକ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ଉପଦେଷ୍ଟା ମନୋଜ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଫିଲ୍ମ ପ୍ରଯୋଜକ ପ୍ରୀତିରାଜ ଶତପଥୀ ଏବଂ ବରିଷ୍ଠ ସାମ୍ବାଦିକା ସୁପ୍ରିୟା ଦାସ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ କୋରେଇ ଉନ୍ନୟନ ପରିଷଦର ମୂଳ ଲକ୍ଷ୍ୟ, ସାମାଜିକ କାର୍ଯ୍ୟକଳାପ ଏବଂ ସମାଜସେବା କ୍ଷେତ୍ରରେ ଏହାର ଅବଦାନ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ସମାଜର ସର୍ବାଙ୍ଗୀଣ ବିକାଶ ଓ ସାମାଜିକ ଦାୟିତ୍ୱବୋଧକୁ ଆଗେଇ ନେବାରେ ପରିଷଦର ଭୂମିକାକୁ ସେମାନେ ପ୍ରଶଂସା କରିଥିଲେ।ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କିଛି ପ୍ରତିଭାବାନ ବ୍ୟକ୍ତିଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଉତ୍ସବର ଏକ ଆକର୍ଷଣୀୟ ଅଂଶ ଥିଲା।

କାର୍ଯ୍ୟକ୍ରମରେ ପରିଷଦର ସଭାପତି ଶ୍ରୀଧର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଆଲୋକ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ବିଧାୟକ ଆକାଶ ଦାସ ନାୟକ ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଥିବା ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇ ସେମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।ଏହି ଅବସରରେ ପରିଷଦର ସଦସ୍ୟ, ସମାଜସେବୀ ଓ ବହୁ ଶୁଭେଚ୍ଛୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।