ସିଝିମାଳି ବକ୍ସାଇଟ୍ ଖଣିକୁ ନେଇ ଯୋର ଧରିଛି ବିବାଦ
ପରିବେଶ ଓ ଆଦିବାସୀ ଅଧିକାର ପାଇଁ ସ୍ଥାନୀୟ ଲୋକେ ଚିନ୍ତିତ
ସରକାର ଏହାକୁ ବିକାଶ ଓ ଚାକିରି ସୃଷ୍ଟିର ଅବସର କହୁଛି
ବେଦାନ୍ତ ଓ ରାଜନୀତିକ ଚର୍ଚ୍ଚା ମାମଲାକୁ ଆହୁରୀ ଜଟିଳ କରିଛି
ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ, ମହାମହିମ ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ, ଏହା ସତ୍ବେ ସିଝିମାଳି ଆଜି କାନ୍ଦୁଛି । ସିଝିମାଳି
ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ରାଜ୍ୟରେ ପୁଣିଥରେ ବଡ଼ ବିବାଦ ଦେଖାଦେଇଛି । ସ୍ଥାନୀୟ ଅଞ୍ଚଳବାସୀ ଏହି ପ୍ରକଳ୍ପକୁ ନେଇ ପରିବେଶ, ଜଙ୍ଗଲ ଏବଂ ଆଦିବାସୀ ଅଧିକାର ସମ୍ବନ୍ଧୀୟ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ସରକାର ଓ ପ୍ରଶାସନ ଏହାକୁ ରାଜ୍ୟର ଆର୍ଥିକ ବିକାଶ, ଶିଳ୍ପୀକରଣ ଏବଂ ଚାକିରି ସୃଷ୍ଟି ପାଇଁ ଆବଶ୍ୟକ ମାନୁଛନ୍ତି ।

ସ୍ଥାନୀୟ ଅଭିଯୋଗ ଅନୁସାରେ, ସିଝିମାଳି ଅଞ୍ଚଳରେ ବଡ଼ ପରିମାଣର ବକ୍ସାଇଟ୍ ଖଣି ଖନନ ହେଲେ ଜଙ୍ଗଲ ଧ୍ୱଂସ, ଜଳ ସଂକଟ ଏବଂ ପରିବେଶୀୟ ସମତୁଳନ ଭଙ୍ଗ ହେବାର ଆଶଙ୍କା ରହିଛି। କିଛି ଆଦିବାସୀ ଗୋଷ୍ଠୀ ମଧ୍ୟ ଭୂମି ଅଧିକାର ଓ ପୁନର୍ବାସନ ନେଇ ଚିନ୍ତା ପ୍ରକାଶ କରୁଛନ୍ତି। ଏହି ପ୍ରସଙ୍ଗରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଛି। ଅନ୍ୟପଟେ ବେଦାନ୍ତ ଗ୍ରୁପ୍ ଏହି ଖଣି ପ୍ରକଳ୍ପକୁ ହାତେଇବାକୁ ଚାହୁଁଛି ।ଏତେ ବଡ଼ ପ୍ରାକୃତିକ ସମ୍ପଦ ଥିବା ଅଞ୍ଚଳକୁ ବେସରକାରୀ କମ୍ପାନୀଙ୍କୁ ଦେବାର ପ୍ରକ୍ରିୟା କେତେ ଦୂର ସ୍ୱଚ୍ଛ ଅଛି। ତେବେ ସରକାରୀ ପକ୍ଷରୁ ଏହା ସମ୍ପର୍କରେ କୁହାଯାଉଛି ଯେ ସମସ୍ତ ଖଣି ଆବଣ୍ଟନ ପ୍ରକ୍ରିୟା ନିୟମାନୁସାରେ ଏବଂ କେନ୍ଦ୍ର-ରାଜ୍ୟ ଖଣି ନୀତି ଅନୁଯାୟୀ ହେଉଛି। ଇଲେକ୍ଟୋରାଲ ବଣ୍ଡ ଓ ରାଜନୈତିକ ଦାନ ସମ୍ପର୍କିତ ଆଲୋଚନା ମଧ୍ୟ ଏହି ମାମଲାକୁ ଆଉ ଅଧିକ ରାଜନୈତିକ କରିଦେଇଛି। କିଛି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ଯେ ବଡ଼ କର୍ପୋରେଟ୍ ଓ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆର୍ଥିକ ସମ୍ପର୍କ ନୀତି ନିର୍ଦ୍ଦେଶକୁ ପ୍ରଭାବିତ କରୁଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ସଠିକ ତଥ୍ୟ ଓ ସରକାରୀ ସ୍ପଷ୍ଟୀକରଣ ଆବଶ୍ୟକ ରହିଛି ।

ଅନ୍ୟପଟେ ବିରୋଧୀ ଦଳ ଏବଂ କିଛି ପ୍ରମୁଖ ଗଣମାଧ୍ୟମର ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । କିଛି ଲୋକ କହୁଛନ୍ତି ଯେ ଏହି ବିଷୟରେ ଜାତୀୟ ସ୍ତରର ଚର୍ଚ୍ଚା ହେବା ଉଚିତ୍ ଥିଲା, କିନ୍ତୁ ଏଠି ସେମିତି କିଛି ନକରାଯାଇ ସ୍ଥାନୀୟ ଲୋକଙ୍କୁ ଯେଉଁଭଳି ପୋଲିସ ଦମନ କରୁଛି ତାହା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ମୋଟାମୋଟି ଭାବେ କହିବାକୁ ଗଲେ ସିଝିମାଳି ବିବାଦ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ଉଭୟ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସମତୁଳନ ଖୋଜିବାର ଆବଶ୍ୟକତାକୁ ଆଗକୁ ଆଣିଛି ।ସରକାର, ପ୍ରଶାସନ, ସ୍ଥାନୀୟ ଲୋକ ଓ ସମସ୍ତ ହିତଧାରୀଙ୍କ ମଧ୍ୟରେ ସ୍ପଷ୍ଟ ଆଲୋଚନା ଓ ପାରଦର୍ଶୀତା ଦ୍ୱାରା ଏହାର ସମାଧାନ ଖୋଜିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।