
ବୟସ ହାର ମାନିଛି, କିନ୍ତୁ କଳା ପ୍ରତି ଭଲପାଇବା ଆଜି ବି ଅତୁଟ । ବୟସର ଅପରାହ୍ନରେ ବି ନୃତ୍ୟ ପ୍ରତି ରହିଛି ସେହି ସମାନ ଆଗ୍ରହ, ସେହି ସମାନ ଉତ୍ସାହ ଆଉ ସେହି ସମାନ ସମର୍ପଣ । ଯେଉଁ ବୟସରେ ଅନେକ ଲୋକ ମଞ୍ଚଠାରୁ ଦୂରେଇ ଯାଆନ୍ତି, ସେହି ବୟସରେ ନିଜର ନୃତ୍ୟକଳାର ଯାଦୁରେ ଦର୍ଶକଙ୍କ ମନ ମୋହୁଛନ୍ତି ବଲିଉଡ୍ର ଡ୍ରିମ୍ଗର୍ଲ ହେମା ମାଳିନୀ । ୭୭ ବର୍ଷ ବୟସରେ ପୁଣି ଥରେ ମଞ୍ଚ ଉପରେ ନିଜର ଶାସ୍ତ୍ରୀୟ ନୃତ୍ୟର ଝଲକ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ହେମା । ନବରାତ୍ରିର ପବିତ୍ର ଅବସରରେ ତାଙ୍କର ଲୋକପ୍ରିୟ ନୃତ୍ୟନାଟିକା ‘ଦୁର୍ଗା’ର ପରିବେଷଣ ଦର୍ଶକଙ୍କ ମନ ଜିଣିଛି ।
ମାତା ପାର୍ବତୀଙ୍କ ରୂପରେ ମଞ୍ଚକୁ ଓହ୍ଲାଇ ନିଜର ଅଭିନୟ, ଭାବଭଙ୍ଗୀ ଓ ନୃତ୍ୟ ମାଧ୍ୟମରେ ଭାରତୀୟ ଶାସ୍ତ୍ରୀୟ କଳାର ମହତ୍ତ୍ୱକୁ ପୁଣି ଥରେ ପ୍ରତିପାଦିତ କରିଛନ୍ତି ଏହି ଅଭିନେତ୍ରୀ ।ଅକ୍ଟୋବର ୧୧ ତାରିଖରେ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ କ୍ଲାସିକ୍ କନଭେନସନ୍ ସେଣ୍ଟରରେ ଆୟୋଜିତ ହୋଇଥିଲା ଏହି ସ୍ୱତନ୍ତ୍ର ନୃତ୍ୟନାଟିକା । ଅଗ୍ରୱାଲ ସମାଜ, ତେଲେଙ୍ଗାନା ପକ୍ଷରୁ ଆୟୋଜିତ ‘ଅଗ୍ରା ଦାଣ୍ଡିଆ ନବରାତ୍ରି’ ଉତ୍ସବ ଏବଂ ମହାରାଜା ଅଗ୍ରସେନ ଜୟନ୍ତୀ ଅବସରରେ ହେମା ମାଳିନୀ ନିଜର କଳା ପରିବେଷଣ କରିଥିଲେ । ମଞ୍ଚ ଉପରେ ମାତା ପାର୍ବତୀଙ୍କ ରୂପରେ ତାଙ୍କର ଉପସ୍ଥିତି ଦର୍ଶକଙ୍କୁ ଆଧ୍ୟାତ୍ମିକ ଭାବନାରେ ବାନ୍ଧି ରଖିଥିଲା । ତାଙ୍କ ସହ ଭଗବାନ ଶିବଙ୍କ ଭୂମିକାରେ ଅନ୍ୟ ଜଣେ କଳାକାର ମଞ୍ଚରେ ନଜର ଆସିଥିଲେ ।
ନୃତ୍ୟ, ସଙ୍ଗୀତ ଓ ଅଭିନୟର ସମନ୍ୱୟରେ ଏହି ପ୍ରଦର୍ଶନ ଭାରତୀୟ ପୌରାଣିକ ପରମ୍ପରାକୁ ଜୀବନ୍ତ କରିଥିଲା ।ହେମା ମାଳିନୀଙ୍କ ପାଇଁ ଏହା କେବଳ ଆଉ ଏକ ମଞ୍ଚ ପରିବେଷଣ ନଥିଲା, ବରଂ ତାଙ୍କର ଆଧ୍ୟାତ୍ମିକ ଭାବନା ଓ କଳା ପ୍ରତି ଗଭୀର ସମର୍ପଣର ଏକ ବିଶେଷ ଅନୁଭୂତି ଥିଲା । ନବରାତ୍ରିର ପ୍ରଥମ ଦିନରେ ନିଜର ଲୋକପ୍ରିୟ ନୃତ୍ୟନାଟିକା ‘ଦୁର୍ଗା’ ପରିବେଷଣ କରିବା ତାଙ୍କ ପାଇଁ ଆଶୀର୍ବାଦ ସଦୃଶ ବୋଲି ସେ ଜଣାଇଥିଲେ ଏହି ପ୍ରଦର୍ଶନର କିଛି ଫଟୋ ମଧ୍ୟ ସେ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ ।
ତାଙ୍କର ଏହି ନୃତ୍ୟ ପ୍ରଦର୍ଶନକୁ ନେଇ କଳାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ବଲିଉଡ୍ରେ ନିଜର ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହେମା ମାଳିନୀଙ୍କ କଳାତ୍ମକ ଯାତ୍ରାରେ ଭରତନାଟ୍ୟମ୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ସିନେମା ଜଗତରେ ସଫଳତା ପାଇବା ସହ ଶାସ୍ତ୍ରୀୟ ନୃତ୍ୟକୁ ମଧ୍ୟ ସେ ସମାନ ଗୁରୁତ୍ୱ ଦେଇ ଆସିଛନ୍ତି । ଭାରତୀୟ ପୁରାଣ, ଦେବଦେବୀଙ୍କ କାହାଣୀ ଓ ଆଧ୍ୟାତ୍ମିକ ଭାବନାକୁ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବାରେ ତାଙ୍କର ଅବଦାନ ରହିଛି । ବୟସ ବଢ଼ିବା ସହ ତାଙ୍କର କଳା ପ୍ରତି ନିଷ୍ଠା କିନ୍ତୁ କମିନାହିଁ । ବରଂ ପ୍ରତ୍ୟେକ ପ୍ରଦର୍ଶନରେ ତାଙ୍କର ଅନୁଭବ ଓ ସମର୍ପଣର ଝଲକ ଦେଖିବାକୁ ମିଳୁଛି ।ସତରେ, କଳା ପାଇଁ ବୟସ କେବେ ବି ପ୍ରତିବନ୍ଧକ ହୋଇପାରେନା । ମନରେ ଯଦି ଆଗ୍ରହ ରହିଛି ନିଜ କଳା ପ୍ରତି ଯଦି ରହିଛି ଅସୀମ ଭଲପାଇବା, ତେବେ ବୟସ ମଧ୍ୟ ହାର ମାନିଯାଏ । ୭୭ ବର୍ଷ ବୟସରେ ହେମା ମାଳିନୀଙ୍କ ଏହି ନୃତ୍ୟ ପ୍ରଦର୍ଶନ ତାହାର ଏକ ଉଦାହରଣ ।