ଅଧ୍ୟାପକଙ୍କ ଉପରକୁ ଲାଟିନ ପାଣି ଫିଙ୍ଗିଲେ ଅଧ୍ୟାପିକା,ଭିଡିଓ ଭାଇରଲ

ଶିକ୍ଷା ବ୍ୟବସ୍ଥା ପାଲଟିଛି ପ୍ରହସନ | ଯାହାର କଳୁଷିତ ଦୃଶ୍ୟ ଏବେ କୋରାଇ ବ୍ଲକ ଅନ୍ତର୍ଗତ ରଗଡି ପାଲିଟେକନିକ ବିଦ୍ୟାଳୟରେ ଦେଖିବାକୁ ମଳିଛି l ଜଣେ ସିନିୟର୍ ଅଧ୍ୟାପକଙ୍କ ଉପରକୁ ପାଇଖିନା ପାଣି ପକେଇଲେ ଜଣେ ଅଧ୍ୟାପିକା| ଆଉ ଏସବୁ ଦେଖି କରତାଳି ସହିତ କମେଣ୍ଟ ମାରି ହସୁଥିଲେ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀ| ସୂଚନା ଅନୁସାରେ, କଲେଜର ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ନୃସିଂହ ବେହେରା ଏବଂ ସେହି ବିଭାଗର ଅଧ୍ୟାପକ ସନ୍ଦୀପ ମହାପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଉପୁଜିଥିଲା। ଆଉ ଏହି ବିବାଦ ଧୀରେ ଧୀରେ ଏମିତି ରୂପ ନେଲା ଯେ, କଲେଜ ପରିସରରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ଆସିଛି। ଏପରିକି ପରସ୍ପରକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ କୁହାଯାଉଛି।ଘଟଣା ଏତିକିରେ ଥମିନଥିଲା। ଏହି ବିବାଦକୁ ନେଇ ଉଭୟ ପକ୍ଷ କୋରାଇ ଥାନାର ଦ୍ୱାରସ୍ଥ ହୋଇ ପରସ୍ପର ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ଅର୍ଥାତ୍ ଗୁରୁଜନଙ୍କ ମଧ୍ୟରେ ବିବାଦ ଏବେ ଥାନା ଦୁଆରରେ ପହଞ୍ଚିଛି। ଯେଉଁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଶାନ୍ତି, ସଂଯମ ଓ ଶୃଙ୍ଖଳାର ପାଠ ପଢ଼ାଇବା କଥା, ସେମାନଙ୍କ ମଧ୍ୟରେ ଏଭଳି ବିବାଦ ଶିକ୍ଷାନୁଷ୍ଠାନର ପରିବେଶକୁ ନେଇ ସୃଷ୍ଟି କରିଛି ଅସ୍ୱସ୍ତି।କିନ୍ତୁ ଏହି ପୂରା ଘଟଣାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି, ଅଧ୍ୟାପକ ସନ୍ଦୀପ ମହାପାତ୍ରଙ୍କ ପତ୍ନୀ ତଥା କଲେଜର ମେଟାଲୋଜି ବିଭାଗର ଅଧ୍ୟାପିକା ପି. ଆରାଧନାଙ୍କ ବିରୋଧରେ ଆସିଥିବା ଅଭିଯୋଗ। ଅଭିଯୋଗ ଅନୁଯାୟୀ, ସେ କିଛି ଛାତ୍ରଙ୍କୁ ଏକାଠି କରି ଛାତ୍ରାବାସର ପାଇଖାନାରୁ ବାଲ୍ଟିରେ ମଇଳା ପାଣି ଆଣିଥିଲେ। ଆଉ ସମସ୍ତଙ୍କ ସାମ୍ନାରେ ଇଲେକ୍ଟ୍ରିକାଲ୍ ବିଭାଗ ମୁଖ୍ୟ ନୃସିଂହ ବେହେରାଙ୍କ ଉପରକୁ ସେହି ପାଣି ଢାଳି ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି |

ତେବେ ସେହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚା ହେଉଛି | ଭିଡିଓରେ ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ଓ କରତାଳି ମଧ୍ୟ ଶୁଣିବାକୁ ମିଳୁଛି । ଯେଉଁ ବୟସରେ ପିଲାମାନେ ନିଜ ଭବିଷ୍ୟତ ଗଢ଼ିବାକୁ କଲେଜକୁ ଆସୁଛନ୍ତି, ସେହି ବୟସରେ ଶିକ୍ଷକଙ୍କ ମଧ୍ୟରେ ଏଭଳି ବିବାଦକୁ ଦେଖି ସେମାନେ କେଉଁ ବାର୍ତ୍ତା ପାଉଛନ୍ତି? ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। କଲେଜ ପରିସର କେବଳ ପାଠପଢ଼ାର ସ୍ଥାନ ନୁହେଁ, ଏହା ଚରିତ୍ର ଗଠନର ମଧ୍ୟ ଏକ ପ୍ରମୁଖ କ୍ଷେତ୍ର। ଏଠାରେ ଶିକ୍ଷକଙ୍କ ଆଚରଣ ଛାତ୍ରଛାତ୍ରୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ହେଲେ ଯଦି କଲେଜ ପରିସରରେ ବିବାଦ, ଗାଳିଗୁଲଜ ଓ ଅପମାନଜନକ ଘଟଣା ଘଟେ, ତେବେ ଶିକ୍ଷାର ମର୍ଯ୍ୟାଦା କେଉଁଠି ରହିବ? ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳାର ପାଠ ପଢ଼ାଇବା ପୂର୍ବରୁ ଶିକ୍ଷକମାନେ ନିଜ ଆଚରଣରେ ତାହା ପ୍ରତିଫଳିତ କରିବା ଆବଶ୍ୟକ ନୁହେଁ କି? ଏହି ଘଟଣାକୁ ନେଇ କଲେଜର ଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। କଲେଜ ପରିସରରେ ଏଭଳି ଘଟଣା ଘଟୁଥିବା ସମୟରେ ଅଧ୍ୟକ୍ଷଙ୍କ ଭୂମିକା କ’ଣ ଥିଲା? ଘଟଣାକୁ ରୋକିବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ କ’ଣ ପଦକ୍ଷେପ ନିଆଗଲା? ଏହା ସହିତ ଅଭିଯୋଗର ସତ୍ୟତା ଯାଞ୍ଚ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ, ତାହାକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି, | ଏ ସମ୍ପର୍କରେ ରଗଡ଼ି ପଲିଟେକନିକ୍ କଲେଜର ଅଧ୍ୟକ୍ଷ ଅଭୟ କୁମାର ମଲିକଙ୍କୁ ପଚରାଯିବାରୁ ସେ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ନିନ୍ଦନୀୟ ବୋଲି କହିବା ସହ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ତେବେ ଏବେ ସମସ୍ତଙ୍କ ନଜର ବିଭାଗୀୟ ତଦନ୍ତ ଉପରେ। ପ୍ରକୃତରେ କ’ଣ ଘଟିଥିଲା? ବିବାଦ ପଛରେ କାହାର ଭୁଲ୍ ରହିଛି? ଅଧ୍ୟାପକଙ୍କ ଉପରକୁ ମଇଳା ପାଣି ଢାଳିବା ଅଭିଯୋଗର ସତ୍ୟତା କେତେ? ଏବଂ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ରକ୍ଷା ପାଇଁ କର୍ତ୍ତୃପକ୍ଷ କେଉଁ ପଦକ୍ଷେପ ନେବେ? ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।ଶିକ୍ଷାନୁଷ୍ଠାନରେ ଶିକ୍ଷକ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ଆଦର୍ଶ। ତେଣୁ ଶିକ୍ଷକଙ୍କ ମଧ୍ୟରେ ମତଭେଦ ଥିଲେ ମଧ୍ୟ ତାହାର ସମାଧାନ ନିୟମ ଓ ଶୃଙ୍ଖଳା ମଧ୍ୟରେ ହେବା ଉଚିତ। ଏବେ ଦେଖିବାକୁ ବାକି, ରଗଡ଼ି ପଲିଟେକନିକ୍ ଘଟଣାରେ ତଦନ୍ତ କେଉଁ ମୋଡ଼ ନେଉଛି ଏବଂ ଦୋଷୀ ପ୍ରମାଣିତ ହେଲେ କାହା ବିରୋଧରେ କି ପଦକ୍ଷେପ ନିଆଯାଉଛି।