
ନରସିଂହପୁର ବ୍ଲକର ବନ୍ଧହୁଡା ଗ୍ରାମର ଝିଅ ଜସ୍ମିନ୍ ସାହୁ ଏବେ ଆନ୍ତର୍ଜାତିକ ମଞ୍ଚରେ ଓଡ଼ିଶାର ନାମ ଉଜ୍ଜ୍ୱଳ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସମ୍ବଲପୁରରେ ବସବାସ କରୁଥିବା ମନୋରଞ୍ଜନ ସାହୁ ଓ ମିନତୀ ସାହୁଙ୍କ ଝିଅ ଜସ୍ମିନ୍ ଆସନ୍ତା ଅଗଷ୍ଟ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍ଗକକ୍ରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ଜସ୍ମିନ୍ ପୂର୍ବରୁ ମଧ୍ୟ ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଚଳିତ ମାସରେ କେରଳର କୋଝିକୋଡ଼ରେ ଆୟୋଜିତ ‘ମିଷ୍ଟର ଆଣ୍ଡ ମିସ୍ ଏକ୍ସଟ୍ରିମ୍ ସୁପର ଗ୍ଲୋବ-ଇଣ୍ଡିଆ’ ପ୍ରତିଯୋଗିତାରେ ସେ ଭାଗ ନେଇ ପ୍ରଥମ ଉପବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ଏହାସହିତ ସେ ‘ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ’ ଓ ‘ଏକ୍ସଟ୍ରିମ୍ ଟାଲେଣ୍ଟ’ ବର୍ଗରେ ମଧ୍ୟ ପୁରସ୍କୃତ ହୋଇଥିଲେ।

ବର୍ତ୍ତମାନ ଜସ୍ମିନ୍ ମଦନାବତୀ ପବ୍ଲିକ ସ୍କୁଲରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି। ଅତ୍ୟନ୍ତ କମ୍ ବୟସରେ ତାଙ୍କର ଏହି ସଫଳତାକୁ ନେଇ ନରସିଂହପୁର ଓ ସମ୍ବଲପୁର ଅଞ୍ଚଳରେ ଖୁସିର ଲହରୀ ଦେଖାଦେଇଛି। ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।