ଚାମେଲି ଓଝା ଘଟଣା: ନିରପେକ୍ଷ ତଦନ୍ତ ଓ ନ୍ୟାୟ ଦାବିରେ ସରପଞ୍ଚ ସଂଘ

ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ଦାବିରେ ରାୟଗଡା ଜିଲ୍ଲା ସରପଞ୍ଚ ସଂଘ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ସରପଞ୍ଚ ଚାମେଲି ଓଝାଙ୍କ ସହ ହୋଇଥିବା କଥିତ ଅସଦାଚରଣ ଓ ପୋଲିସର ବ୍ୟବହାରକୁ ନେଇ ସଂଘ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ସରପଞ୍ଚ ମହାସଂଘର ଅଭିଯୋଗ ଅନୁସାରେ, ଗତ ୧୧ ଜୁନରେ ସରପଞ୍ଚ ଚାମେଲି ଓଝା ନିଜ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ପାଇଁ ମହାକାଳପଡ଼ା ବିଡିଓ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ କୁଭାଷା ପ୍ରୟୋଗ କରାଯିବା ସହ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଦାଖଲ କରାଯାଇଥିବା କୁହାଯାଇଛି। ପରେ ପୋଲିସ ତାଙ୍କୁ ଜୋରପୂର୍ବକ ଥାନାକୁ ନେଇଯିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା କେବଳ ଜଣେ ବ୍ୟକ୍ତିଗତ ସରପଞ୍ଚଙ୍କ ପ୍ରତି ଅନ୍ୟାୟ ନୁହେଁ, ବରଂ ଜଣେ ନିର୍ବାଚିତ ମହିଳା ପ୍ରତିନିଧିଙ୍କ ସମ୍ମାନ ଓ ସାମ୍ବିଧାନିକ ଅଧିକାର ପ୍ରତି ଆଘାତ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଦାବିପତ୍ରରେ ସରପଞ୍ଚ ସଂଘ ଉଲ୍ଲେଖ କରିଛି ଯେ, ପଞ୍ଚାୟତ ପ୍ରତିନିଧିମାନେ ଗ୍ରାମାଞ୍ଚଳର ବିକାଶ ଓ ଲୋକସମସ୍ୟାର ସମାଧାନ ପାଇଁ କାମ କରୁଥିବାବେଳେ ସେମାନଙ୍କୁ ଯଦି ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ, ତେବେ ସ୍ଥାନୀୟ ସ୍ୱଶାସନ ବ୍ୟବସ୍ଥା ଉପରେ ତାହାର ନକାରାତ୍ମକ ପ୍ରଭାବ ପଡ଼ିବ। ବିଶେଷକରି ମହିଳା ପ୍ରତିନିଧିମାନଙ୍କ ପ୍ରତି ଏପରି ବ୍ୟବହାର ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧୀ ବୋଲି ସଂଘ ମତ ପ୍ରକାଶ କରିଛି।
ଏହି ପରିପ୍ରେକ୍ଷୀରେ ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରିବା, ଦୋଷୀଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ପଞ୍ଚାୟତ ପ୍ରତିନିଧିମାନଙ୍କ ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ସଂଘ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛି।ଏହି ଘଟଣାକୁ ନେଇ ଜିଲ୍ଲାର ରାଜନୈତିକ ଓ ପଞ୍ଚାୟତ ମହଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଆଗାମୀ ଦିନରେ ପ୍ରଶାସନ କେଉଁ ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।