
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଖୁବ୍ଶୀଘ୍ର ଟେଲିଭିଜନ୍ ଦୁନିଆକୁ ଆସିବାକୁ ଯାଉଛି | ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ଅବସର ନେବା ପରେ ରୋହିତ ଏବେ ମନୋରଞ୍ଜନ ଜଗତରେ ଆସିବା ପାଇଁ ଆଗ୍ରହ ପରକାଶ କରିଛନ୍ତି| ରୋହିତଙ୍କ ଶୋ ନାଁ ରହିଛି ଦ ରୋହିତ ଶର୍ମା ଶୋ । ଏହାକୁ ରୋହିତଙ୍କର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ଡେବ୍ୟୁ ବୋଲି କୁହାଯାଉଛି ।
ସୋନି ଟିଭି ନେଟୱାର୍କ ପକ୍ଷରୁ ଦ ରୋହିତ ଶର୍ମା ଶୋର ଏକ ନୂଆ ଟିଜର୍ ରିଲିଜ୍ କରାଯାଇଛି । ଏହା ପରେ ଶୋକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିଛି । ଗତ ମେ ମାସରେ ରିଲିଜ୍ ହୋଇଥିବା ଏକ ପ୍ରୋମୋରେ ରୋହିତଙ୍କ ପ୍ରସିଦ୍ଧ ଗାର୍ଡେନ୍ ମେଁ ଘୁମନେ ଡାଏଲଗ୍କୁ ନେଇ ମଜାଦାର ଝଲକ ଦେଖିବାକୁ ମିଳିଥିଲା । ଏବେ ନୂଆ ଟିଜର୍ରେ ରୋହିତ କ୍ୟାମେରାମ୍ୟାନ୍ ଏବଂ ଅନ୍ୟ କ୍ରୁ ସଦସ୍ୟଙ୍କୁ ପରାମର୍ଶ ଦେଉଥିବା ନଜର ଆସିଛନ୍ତି । ମେ’ ମାସରେ ପ୍ରଥମ ପ୍ରୋମୋ ରିଲିଜ୍ ସମୟରେ ରୋହିତ ମଜାଳିଆ ଢଙ୍ଗରେ କହିଥିଲେ, ମୁଁ ଦୁଇ ଲାଇନ୍ କଣ କହିଦେଲି, ଏତେ ଭାଇରଲ୍ ହୋଇଗଲା । ଯେତେବେଳେ ପୂରା ଶୋ ଆସିବ, କଣ ହେବ ?
ରୋହିତ ଶର୍ମା ନିଜେ ଏହି ଶୋର ହୋଷ୍ଟ କିମ୍ବା ଆଙ୍କର୍ ଭୂମିକାରେ ନଜର ଆସିପାରନ୍ତି । ସୋନି ପିକଚର୍ସ ନେଟୱାର୍କସ୍ ଇଣ୍ଡିଆର ସିଇଓ ଗୌରବ ବାନାର୍ଜୀ ମଧ୍ୟ ରୋହିତ ନିଜେ ଶୋଟି ହୋଷ୍ଟ କରିବେ ବୋଲି ନିଶ୍ଚିତ କରିଛନ୍ତି । ଏବେ କ୍ରିକେଟ୍ ପଡ଼ିଆ ସହ ଟେଲିଭିଜନ୍ ପରଦାରେ ରୋହିତଙ୍କ ନୂଆ ଅବତାର ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।