ବାଜିମାରିଲେ ବିଜୟ, ଟେନସନରେ ମମତା, ବିଜେପିର ବଡ ବିଜୟ

ସୋମବାର ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ବିଧାନସଭା ନିର୍ବାଚନର ଚୁଡାନ୍ତ ଫଳାଫଳ ସାମ୍ନାକୁ ଆସିନାହିଁ । ସକାଳ 8ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ଶେଷ ସୁଦ୍ଧା କେଉଁ ଦଳ ସରକାର ଗଢ଼ିବ ସେଥିପାଇଁ ଦେଶବ୍ୟାପୀ ଉତ୍ସୁକତା ଦେଖିବାକୁ ମିଳିଛି ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ପୁଣିଥରେ ଶାସନ ରଖିବାକୁ ଜୋରଦାର ଲଢ଼େଇ କରିଥିଲେ ସୁଦ୍ଧା ମମତାଙ୍କ ଷ୍ଟାଟେଜି ଫେଲ୍ ମାରିଲା ଭଳି ମନେହେଉଛି । ଦୁଇ ଦଳ ମଧ୍ୟରେ ଏକ ହାଇଭୋଲ୍ଟେଜ୍ ରାଜନୈତିକ ଲଢ଼େଇ ଦେଖିବାକୁ ମିଳିଛି। କିନ୍ତୁ ସେପଟେ ତାମିଲନାଡୁ ରାଜନୀତିରେ ପୁଣି ଥରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁପରଷ୍ଟାର ବିଜୟ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ଇତିହାସ ରଚିଛନ୍ତି । ତାଙ୍କ ଦଳ, ତାମିଲଗା ଭେଟ୍ରି କାଝାଗମ ଅର୍ଥାତ୍ (ଟିଭିକେ) ଏହାର ପ୍ରଥମ ନିର୍ବାଚନୀ ଲଢ଼େଇରେ ​​ବିରୋଧୀଙ୍କରୁ ଦେଇଛି ବଡ ଝଟ୍କା । ଟିଭିକେ 108 ଆସନରେ ଆଗୁଆଥିବାବେଳେ ଏଆଇଏଡିଏମ୍‌କେ 66, ଡିଏମ୍‌କେ 60 ଆସନରେ ଆଗୁଆ ରହିଛନ୍ତି । ଥାଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ନିଜର ଛାପ ସୃଷ୍ଟି କରିଛନ୍ତି । ବିଜୟଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ପଛରେ ଏକ ସ୍ପଷ୍ଟ ରଣନୀତି ରହିଥିବା କହିପାରିବା ।

କେରଳରେ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା ଏଲଡିଏଫ୍ ପଞ୍ଚମ ଥର ପାଇଁ ସରକାର ଗଢ଼ିବା ଆଶାରେ ଅଛି । ଆସାମରେ ବିଜେପି ନେତୃତ୍ୱାଧୀନ ଏନଡିଏ ତୃତୀୟ ଥର ପାଇଁ ସରକାର ଗଢ଼ିବା ଲକ୍ଷ୍ୟରେ ରହିଥିଲା । ଅନ୍ୟପଟେ କଂଗ୍ରେସ ପୁଣିଥରେ ଶକ୍ତି ଫେରାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କିଛି ଖାସ ପଦର୍ଶନ ଦେଖିବାକୁ ମିଳିନାହିଁ । 126 ଆସନ ବିଶିଷ୍ଟ ଆସାମର ଫଳାଫଳ ମଧ୍ୟ ରାଜନୀତିକ ସମୀକରଣକୁ ପ୍ରଭାବିତ କରିବ ବୋଲି ଆଶା କରାଯାଇଛି । ସେହିପରି ପୁଡୁଚେରୀରେ ଏଆଇଏନଆରସି ଦଳ ପୁଣିଥରେ ସରକାର ଗଢ଼ିବା ଭଳି ମନେ ହେଉଛି । ଏହି 5ଟି ଅଞ୍ଚଳର ଫଳାଫଳ ଭାରତୀୟ ରାଜନୀତିର ଭବିଷ୍ୟତ ଦିଗ ନିର୍ଣ୍ଣୟ କରିବାରେ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ ରହିବ ।