
ବଦଳିଲା ବିଜେଡିର ରଣନୀତି| ଦିଲ୍ଲୀରେ ବିରୋଧୀଙ୍କ ମେଳିରେ ସାମିଲ ହେବ ବିଜେଡି । ନିର୍ବାଚନ କମିସନଙ୍କ ବିରୋଧରେ ଆଜି ନୂଆଦିଲ୍ଲୀରେ ହେବ ବିରାଟ ପଦଯାତ୍ରା । ସଂସଦର ମକର ଦ୍ୱାରରୁ ଆରମ୍ଭ ହୋଇ ନିର୍ବାଚନ କମିସନଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବ ଏହି ପଦଯାତ୍ରା । କଂଗ୍ରେସ, ଟିଏମ୍ସି, ସମାଜବାଦୀ ପାର୍ଟି ସମେତ ବିଭିନ୍ନ ବିରୋଧୀ ଦଳର ପ୍ରାୟ ୧୫୦ ସାଂସଦ ଏକାଠି ହେବେ । ଆଉ ଏହି ମେଳିରେ ବିଜେଡିର ଯୋଗଦାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ବଢ଼ିଛି ଚର୍ଚ୍ଚା । ଦିଲ୍ଲୀରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ… ଆଉ ଏହି ଶକ୍ତି ପ୍ରଦର୍ଶନରେ ବିଜେଡିର ଯୋଗଦାନ । ଜାତୀୟ ରାଜନୀତିରେ ଯେଉଁ ଘଟଣାକୁ ନେଇ ଚର୍ଚ୍ଚା, ତାହାର ତାତି ଏବେ ଓଡ଼ିଶା ରାଜନୀତିରେ ବି ଅନୁଭୂତ ହେଉଛି ।ନିର୍ବାଚନ ପ୍ରକ୍ରିୟା ଓ ଭୋଟର ତାଲିକାରେ ଏସ୍ଆଇଆର୍କୁ ନେଇ ବିରୋଧୀ ଦଳଗୁଡ଼ିକ ଲଗାତାର ପ୍ରଶ୍ନ ଉଠାଇ ଆସୁଛନ୍ତି । ଭୋଟ୍ ଚୋରି ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ଭୂମିକାକୁ ନେଇ ଆପତ୍ତି ଉଠାଉଛନ୍ତି ବିରୋଧୀ । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ କରାଯାଉଛି । ଏହି ପ୍ରସଙ୍ଗକୁ ନେଇ ଆଜି ଦିଲ୍ଲୀରେ ଏକାଠି ହେବେ ବିରୋଧୀ ଦଳର ସାଂସଦ । ସଂସଦର ମକର ଦ୍ୱାରରୁ ଆରମ୍ଭ ହେବ ପଦଯାତ୍ରା । ନିର୍ବାଚନ କମିସନଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବ ଏହି ରାଲି । କଂଗ୍ରେସ ସହ ଟିଏମ୍ସି, ସମାଜବାଦୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳର ସାଂସଦମାନେ ଏଥିରେ ସାମିଲ ହେବେ ।

ମୋଟାମୋଟି ଭାବେ ପ୍ରାୟ ୧୫୦ ସାଂସଦଙ୍କ ଉପସ୍ଥିତି ରହିବା ନେଇ ଚର୍ଚ୍ଚା ହେଉଛି ।ତେବେ ସବୁଠୁ ବଡ଼ କଥା ହେଉଛି,ଏହି ବିରୋଧୀ ଏକତାରେ ବିଜେଡି ବି ସାମିଲ ହେଉଛି । ଅର୍ଥାତ୍, ଦିଲ୍ଲୀରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ସହ ଏକ ମଞ୍ଚରେ ଦେଖିବାକୁ ମିଳିବ ବିଜେଡିକୁ । ଯାହାକୁ ନେଇ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା ।କାରଣ, ରାଜ୍ୟରେ ବିଜେଡି ଓ କଂଗ୍ରେସ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ । କିନ୍ତୁ ଦିଲ୍ଲୀରେ ନିର୍ବାଚନ କମିସନଙ୍କ ବିରୋଧରେ ଦୁଇ ଦଳ ଏକାଠି ହେବା ଘଟଣା ରାଜନୈତିକ ସମୀକରଣକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି ।ଅନ୍ୟପଟେ ଆମ୍ ଆଦମୀ ପାର୍ଟି ଏହି ପଦଯାତ୍ରାରେ ସାମିଲ ନହୋଇ ଦିଲ୍ଲୀର ଜନ୍ତରମନ୍ତରରେ ଅଲଗା ଭାବେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ବିରୋଧୀ ଶିବିରର ଆଭିମୁଖ୍ୟକୁ ନେଇ ବି ଚର୍ଚ୍ଚା ଜୋର ଧରିଛି ।ଆଉ ଏପଟେ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ନେଇ ଓଡ଼ିଶାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । କଂଗ୍ରେସକୁ ବିଜେଡିର ସମର୍ଥନ ପ୍ରସଙ୍ଗରେ କଂଗ୍ରେସ ନେତା ତାରା ବାହିନୀପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଉ ସେ ନବୀନ ପାଟନାୟକଙ୍କୁ ଧ୍ୟାନ୍ୟବାଦ ଜଣାଇଛନ୍ତି | ନବୀନଙ୍କ ଏହି ଆଭିମୁଖ୍ୟକୁ ନେଇ ରାଜ୍ୟ କଂଗ୍ରେସ ଶିବିରରେ ବି ଚର୍ଚ୍ଚା ତେଜ ହୋଇଛି ।ତେବେ ଏହା କେବଳ ଗୋଟିଏ ପ୍ରସଙ୍ଗରେ ବିରୋଧୀଙ୍କ ସହ ବିଜେଡିର ହାତ ମିଳାଇବା ନା ଆଗକୁ ଏହାର ପ୍ରଭାବ ଓଡ଼ିଶା ରାଜନୀତିରେ ମଧ୍ୟ ପଡ଼ିବ? ଦିଲ୍ଲୀରେ ବିଜେଡି-କଂଗ୍ରେସର ଏହି ରାଜନୈତିକ ନିକଟତା ରାଜ୍ୟରେ କେଉଁ ନୂଆ ସମୀକରଣର ସଙ୍କେତ ଦେଉଛି? ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।ଏସବୁ ଭିତରେ ଏବେ ସବୁଠୁ ବଡ଼ ପ୍ରଶ୍ନ, ବଦଳୁଛି କି ବିଜେଡିର ରଣନୀତି? ଏହାର ପ୍ରଭାବ ଆଗକୁ ରାଜ୍ୟ ରାଜନୀତିରେ କେତେ ପଡ଼ିବ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।