
ଭୋଟର ତାଲିକାକୁ ନେଇ ଦିଲ୍ଲୀରେ ତେଜିଲା ରାଜନୈତିକ ଝଡ଼।ନିର୍ବାଚନ ଆୟୋଗଙ୍କ ମୁଖ୍ୟାଳୟ ଅଭିମୁଖେ ବାହାରିଲେ ଇଣ୍ଡି ମେଣ୍ଟର ନେତା। ହାତରେ ତ୍ରିରଙ୍ଗା, ମୁହଁରେ ନାରା, ଆଉ ମନରେ ପ୍ରତିବାଦର ଝଡ । କଥିତ ଭାବେ ଭୋଟର ତାଲିକାରେ ହେରଫେରକୁ ନେଇ ନିର୍ବାଚନ ଆୟୋଗ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ବିରୋଧୀ।ନିର୍ବାଚନ ଆୟୋଗଙ୍କ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଗର୍ଜିଛନ୍ତି ବିରୋଧୀ ନେତା। ତାଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଆରମ୍ଭ ହୋଇଛି ବଡ଼ ଧରଣର ପ୍ରତିବାଦ।ପଦଯାତ୍ରା କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଉଥିଲେ ବିରୋଧୀ ସାଂସଦ। କିନ୍ତୁ ବାଟ ଓଗାଳିଲା ପୋଲିସର ବ୍ୟାରିକେଡ୍। ଆକାଶବାଣୀ କ୍ୟାମ୍ପସ ନିକଟରେ ଅଟକିଗଲା ପଦଯାତ୍ରା।ସେଠାରେ ହିଁ ଧାରଣାରେ ବସିପଡ଼ିଲେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। ପ୍ରାୟ ଦେଢ଼ ଘଣ୍ଟା ଧରି ଗଛ ତଳେ ବସି ରହିଲେ ଦୁଇ କଂଗ୍ରେସ ସାଂସଦ। ଗୋଟିଏ ଦାବି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯିବାକୁ ଦିଆଯାଉ।ରାହୁଲ ଗାନ୍ଧୀ ହାତରେ ତ୍ରିରଙ୍ଗା ଧରି ବ୍ୟାରିକେଡ୍ ଉପରେ ଚଢ଼ିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା।

ବିରୋଧୀ ସାଂସଦଙ୍କ ନାରାରେ କମ୍ପିଥିଲା ରାସ୍ତା।ଭୋଟ୍ ଚୋର’ ଭଳି ନାରା ଦେଇ ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିଲା ଜୋରଦାର ପ୍ରତିବାଦ।ଏହି ସମୟରେ ପୋଲିସ ଅଖିଳେଶ ଯାଦବ ଓ ଟିଏମ୍ସି ନେତା ଅଭିଷେକ ବାନାର୍ଜୀଙ୍କୁ ହେପାଜତ କୁ ନେଇଥିବା ଖବର ସାମ୍ନାକୁ ଆସିଥିଲା। ଫଳରେ ଘଟଣାସ୍ଥଳରେ ରାଜନୈତିକ ଉତ୍ତେଜନା ଆହୁରି ବଢ଼ିଥିଲା।କେବଳ ରାହୁଲ କିମ୍ବା ପ୍ରିୟଙ୍କା ନୁହନ୍ତି, ବିରୋଧୀ ମେଣ୍ଟର ଅନେକ ନେତା ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ନିର୍ବାଚନ ଆୟୋଗଙ୍କ ନିକଟରେ ନିଜ ଦାବି ରଖିବାକୁ ଚାହୁଁଥିଲେ ସେମାନେ। କିନ୍ତୁ ସୁରକ୍ଷାକର୍ମୀଙ୍କ ବ୍ୟାରିକେଡ୍ ସେମାନଙ୍କ ରାସ୍ତା ଅଟକାଇଥିଲା।ବିରୋଧୀ ନେତାମାନେ ଜ୍ଞାନେଶ କୁମାରଙ୍କ ଏକ କଟ୍ଆଉଟ୍ ମଧ୍ୟ ଧରିଥିଲେ। କଟ୍ଆଉଟ୍ରେ ଆରଏସଏସ୍ର ପୋଷାକ ପିନ୍ଧାଇ ତାଙ୍କୁ ନେଇ ରାଜନୈତିକ ପ୍ରତିବାଦ କରାଯାଇଥିଲା।ବିରୋଧୀଙ୍କ ଅଭିଯୋଗ, ହେଉଛି ଭୋଟର ତାଲିକାରେ କଥିତ ଅନିୟମିତତା ଗଣତନ୍ତ୍ର ପାଇଁ ଚିନ୍ତାର ବିଷୟ। ଭୋଟରଙ୍କ ନାମ ବାଦ୍ ଦେବା କିମ୍ବା ତାଲିକାରେ ବିବାଦୀୟ ପରିବର୍ତ୍ତନ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।କଂଗ୍ରେସ ନେତା ପବନ ଖେଡ଼ା ଜ୍ଞାନେଶ କୁମାରଙ୍କ ଉପରେ ଭରସା ନଥିବା ଅଭିଯୋଗ କରିଛନ୍ତି। ସେପଟେ ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ ମଧ୍ୟ ଭୋଟର ତାଲିକାରୁ ଲୋକଙ୍କ ନାମ ବାଦ୍ ଦିଆଯିବା ଅଭିଯୋଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି।କଂଗ୍ରେସ ସାଂସଦ ବିବେକ ତନ୍ଖା ଏହାକୁ ଗଣତନ୍ତ୍ର ବଞ୍ଚାଇବାର ଲଢ଼େଇ ବୋଲି କହିଛନ୍ତି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।ଅନ୍ୟପଟେ ସମାଜବାଦୀ ପାର୍ଟି ସାଂସଦ ଇକ୍ରା ହସନ ମଧ୍ୟ ନିର୍ବାଚନ ଆୟୋଗକୁ ନେଇ ବିରୋଧୀଙ୍କ ପୁରୁଣା ଅଭିଯୋଗକୁ ଦୋହରାଇଛନ୍ତି।ଏପଟେ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଜନ୍ତରମନ୍ତର ଓ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ଯବାନ ମୁତୟନ ହୋଇଥିଲେ। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଚାରିପଟେ ମଧ୍ୟ ବ୍ୟାରିକେଡ୍ ଲଗାଯାଇଥିଲା।ଭୋଟର ତାଲିକାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଦିଲ୍ଲୀର ରାଜନୀତିକୁ ଗରମ କରିଦେଇଛି।ବିରୋଧୀଙ୍କ ଦାବି,ଭୋଟର ତାଲିକା ନେଇ ଉଠିଥିବା ପ୍ରଶ୍ନର ଜବାବ ଦିଅ ନିର୍ବାଚନ ଆୟୋଗ।ଅନ୍ୟପଟେ ପ୍ରତିବାଦକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ା କରିଛି ପୋଲିସ| ଏବେ ପ୍ରଶ୍ନ ଉଠୁଛି ବିରୋଧୀଙ୍କ ଏହି ଆନ୍ଦୋଳନ କେଉଁ ମୋଡ଼ ନେବ? ଜ୍ଞାନେଶ କୁମାରଙ୍କ ବିରୋଧରେ ଉଠିଥିବା ଦାବିକୁ ନେଇ କି ହେବ ପରବର୍ତ୍ତୀ ପଦକ୍ଷେପ? ନା ଏହି ପ୍ରତିବାଦ ଆହୁରି ତୀବ୍ର ହେବ? ଭୋଟର ତାଲିକା ବିବାଦକୁ ନେଇ ଏବେ ଦିଲ୍ଲୀର ରାଜନୀତି ତାତିଛି… ଆଉ ଆଗକୁ ଏହି ରାଜନୈତିକ ଲଢ଼େଇ କେଉଁ ରୂପ ନେଉଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର।