ବରଫର ଚାଦର ଘୋଡେଇ ହେଲା ଭୁବନେଶ୍ୱର

କାଶ୍ମୀରର ବରଫାବୃତ ପାହାଡ଼, ଚାରିଆଡ଼େ ଧଳା ଧଳା ବରଫର ଚାଦର, ଥଣ୍ଡା ପବନ ସାଙ୍ଗକୁ ପାହାଡ଼ର ମନୋରମ ଦୃଶ୍ୟ । ଏମିତି ଦୃଶ୍ୟ ଦେଖିଲେ ଯେକେହି କାଶ୍ମୀର କଥା ଭାବିବେ । କିନ୍ତୁ ଏବେ କାଶ୍ମୀର ଯିବାର ଆବଶ୍ୟକତା ନାହିଁ । କାରଣ ରାଜଧାନୀ ଭୁବନେଶ୍ୱରରେ ହିଁ ମିଳୁଛି କାଶ୍ମୀରର ଅନୁଭୂତି । କଳିଙ୍ଗ ଷ୍ଟୁଡିଓରେ ତିଆରି ହୋଇଛି ଏକ ଚମତ୍କାର ସ୍ନୋ ୱାର୍ଲ୍ଡ । ଯେଉଁଠି ବରଫର ମଜା ସାଙ୍ଗକୁ ପାହାଡ଼, ଆଲୋକ ଓ ଥଣ୍ଡା ପରିବେଶ ପର୍ଯ୍ୟଟକଙ୍କୁ ଦେଉଛି ନିଆରା ଅନୁଭୂତି ।ଏ ଦୃଶ୍ୟ ଦେଖିଲେ ଲାଗୁଛି ସତେ ଯେମିତି କାଶ୍ମୀରର କୌଣସି ବରଫାଞ୍ଚଳ | ଚାରିଆଡ଼େ ଧଳା ଧଳା ବରଫ,ତା’ ଭିତରେ ଗଛଲତା, ପାହାଡ଼ର ଦୃଶ୍ୟ, ଆଉ ଚିକିମିକି ଆଲୋକ । ବରଫର ଏହି ମାହୋଲ ଭିତରକୁ ପଶିଲେ କିଛି ସମୟ ପାଇଁ ଭୁବନେଶ୍ୱରକୁ ଭୁଲି କାଶ୍ମୀରର ଅନୁଭୂତି ନେଇପାରିବେ ପର୍ଯ୍ୟଟକ | ହଁ ଦର୍ଶକବଂଧୁ ସବୁଠାରୁ ଖାସ କଥା ହେଉଛି, ଏହି ସ୍ନୋ ୱାର୍ଲ୍ଡକୁ ଏଭଳି ଭାବରେ ସଜାଯାଇଛି ଯେ ଛୋଟଠାରୁ ବଡ଼, ସମସ୍ତେ ଏଠାରେ ମଜା ନେଇପାରିବେ । ବରଫ ଭିତରେ ଘୁରିବା, ଫଟୋ ଉଠାଇବା,ସବୁକିଛିର ମଜା ଏଠାରେ ମିଳିପାରିବ | ଆଉ ବରଫ ଭିତରେ ବୁଲୁଥିବା ବେଳେ ଥଣ୍ଡା ଥଣ୍ଡା ପରିବେଶ ସାଙ୍ଗକୁ ମିଳିବ ଗରମାଗରମ ଚା । ଥଣ୍ଡା ହାତରେ ଗରମ ଚା କପ୍| ଆଉ ସାମ୍ନାରେ ବରଫର ଦୃଶ୍ୟ,ଏହି ଅନୁଭୂତି ନିଶ୍ଚିତ ଭାବେ ଲୋକଙ୍କୁ ଆକର୍ଷିତ କରିବ ।କେବଳ ପର୍ଯ୍ୟଟନ ନୁହେଁ, ସିନେମା ଓ ମନୋରଞ୍ଜନ ଜଗତ ପାଇଁ ମଧ୍ୟ ଏହି ସ୍ନୋ ୱାର୍ଲ୍ଡ ଏକ ନୂଆ ସୁଯୋଗ ଆଣିଛି । ବରଫର ଦୃଶ୍ୟ ଦରକାର ଥିବା ଓଡ଼ିଆ ସିନେମା କିମ୍ବା ଅନ୍ୟ ଅଡିଓ-ଭିଜୁଆଲ୍ ପ୍ରକଳ୍ପର ସୁଟିଂ ମଧ୍ୟ ଏଠାରେ କରାଯାଇପାରିବ । ଫଳରେ ସୁଟିଂ ପାଇଁ ଅନ୍ୟ ରାଜ୍ୟ କିମ୍ବା ଦୂରଦୂରାନ୍ତକୁ ଯିବାର ଖର୍ଚ୍ଚ ମଧ୍ୟ କମିପାରେ । ଅର୍ଥାତ୍ ବଡ଼ମାନେ ବରଫର ମଜା ନେବେ, ଛୋଟମାନେ ମଧ୍ୟ ନିଜ ଢଙ୍ଗରେ ଉପଭୋଗ କରିପାରିବେ ।, କଳିଙ୍ଗ ଷ୍ଟୁଡିଓର ଏହି ନୂଆ ଆକର୍ଷଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି । ରାଜ୍ୟରେ ପର୍ଯ୍ୟଟନ ସହ ସିନେମା ଓ ମନୋରଞ୍ଜନ ଶିଳ୍ପକୁ ଆହୁରି ଆଗକୁ ନେବା ଦିଗରେ ଏଭଳି ପଦକ୍ଷେପ ଏକ ନୂଆ ଅଧ୍ୟାୟ ଯୋଡ଼ିପାରେ | ଭୁବନେଶ୍ୱରରେ ବରଫ, କଳିଙ୍ଗ ଷ୍ଟୁଡିଓରେ କାଶ୍ମୀରର ମାହୋଲ, ଚାରିଆଡ଼େ ଧଳା ବରଫ ଆଉ ଚିକିମିକି ଆଲୋକ । ଏହା କେବଳ ମନୋରଞ୍ଜନର ନୂଆ ଠିକଣା ନୁହେଁ, ବରଂ ଓଡ଼ିଶାରେ ପର୍ଯ୍ୟଟନ ଓ ସିନେମା ଶିଳ୍ପକୁ ନୂଆ ଦିଗ ଦେବାର ଏକ ପ୍ରୟାସ | ତେବେ ଆଗକୁ କାଶ୍ମୀରର ବରଫ ଦେଖିବା ପାଇଁ ଦୂରକୁ ଯିବାକୁ ପଡ଼ିବନି । ରାଜଧାନୀ ଭୁବନେଶ୍ୱରରେ ହିଁ ମିଳିବ ବରଫର ମଜା ।