ଯଦି ଆପଣ ଥାଇଲ୍ୟାଣ୍ଡ ବୁଲିଯିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଥାଇଲ୍ୟାଣ୍ଡ ସରକାର ସେମାନଙ୍କର ପ୍ରଚଳିତ ଭିସା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ମହାମାରୀ ପରେ ନିଜ ଅର୍ଥନୀତିକୁ ସୁଧାରିବା ପାଇଁ ଜୁଲାଇ ୨୦୨୪ରେ ସରକାର ଯେଉଁ ୬୦ ଦିନିଆ ଭିସା-ମୁକ୍ତ ରହଣି ସୁବିଧା ଆରମ୍ଭ କରିଥିଲେ, ତାହାକୁ ଏବେ ପ୍ରତ୍ୟାହାର କରାଯାଉଛି। ଥାଇ କ୍ୟାବିନେଟ୍ର ଏହି ନୂତନ ନିୟମ ଦ୍ୱାରା ଭାରତ, ଆମେରିକା, ଇସ୍ରାଏଲ୍ ଏବଂ ୟୁରୋପର ୨୯ଟି ସେଙ୍ଗେନ୍ ଜୋନ୍ ଅଞ୍ଚଳ ସମେତ ମୋଟ ୯୩ଟି ଦେଶର ପର୍ଯ୍ୟଟକ ପ୍ରଭାବିତ ହେବେ।
ଭିସା ବ୍ୟତିତ ଥାଇଲ୍ୟାଣ୍ଡରେ ରହିବାର ସର୍ବାଧିକ ସୀମାକୁ ୬୦ ଦିନରୁ କମାଇ ୩୦ ଦିନ କରାଯିବ। କେତେକ ନିର୍ଦ୍ଦିଷ୍ଟ ଦେଶର ନାଗରିକଙ୍କ ପାଇଁ ଏହାକୁ ମାତ୍ର ୧”୫ ଦିନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଯଦି କେହି ସ୍ଥଳ ସୀମା ଦେଇ ଥାଇଲ୍ୟାଣ୍ଡରେ ପ୍ରବେଶ କରୁଛନ୍ତି, ତେବେ ପ୍ରତି କ୍ୟାଲେଣ୍ଡର ବର୍ଷରେ ତାଙ୍କ ଯାତ୍ରା ସଂଖ୍ୟା ଉପରେ କଠୋର ସୀମା ରହିବ। ପୂର୍ବ ନିୟମ ଅନୁସାରେ ପ୍ରତି ୩୦ ଦିନରେ କେବଳ ଦୁଇଟି ପ୍ରବେଶକୁ ଅନୁମତି ମିଳିବ।
ଏହି ନୂଆ ନିୟମ ବିଷୟରେ ସରକାର ସ୍ପଷ୍ଟ କରିଥିଲେ ମଧ୍ୟ ଏହା କେଉଁ ସୁନିଶ୍ଚିତ ତାରିଖରୁ ସାର୍ବଜନୀନ ଭାବେ କାର୍ଯ୍ୟକାରୀ ହେବ, ସେନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ଘୋଷଣା କରାଯାଇ ନାହିଁ।
ଥାଇ ସରକାରଙ୍କ ମୁଖପାତ୍ର ରଚାଦା ଧନାଡିରେକ ଏବଂ ବୈଦେଶିକ ମନ୍ତ୍ରୀ ସିହାସାକ ଫୁଆଙ୍ଗକେଟକେଓଙ୍କ ସୂଚନା ମୁତାବକ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି:
୬୦ ଦିନିଆ ଭିସା ଛାଡ଼ ଯୋଗୁଁ ଅନେକ ଅଜଣା ତ୍ରୁଟି ସାମ୍ନାକୁ ଆସିଥିଲା। ଏହାର ସୁଯୋଗ ନେଇ କିଛି ବିଦେଶୀ ନାଗରିକ ବେଆଇନ ଗ୍ରେ-ମାର୍କେଟ୍ ବ୍ୟବସାୟ, ଅନଧିକୃତ ଚାକିରି ଏବଂ ଅନଲାଇନ୍ ଠକେଇ ସମସ୍ୟା ସୃଷ୍ଟି କରୁଥିଲେ। ନିକଟରେ ଡ୍ରଗ୍ସ ଚାଲାଣ, ମାନବ ଚାଲାଣ ଏବଂ ବିନା ଅନୁମତିରେ ସ୍ଥାନୀୟ ହୋଟେଲ ବ୍ୟବସାୟ ଚଲାଉଥିବା ଅନେକ ହାଇ-ପ୍ରୋଫାଇଲ୍ ବିଦେଶୀ ନାଗରିକ ଗିରଫ ହେବା ପରେ ସରକାର ଏହି ନୀତି ପରିବର୍ତ୍ତନ କରିଛନ୍ତି। ଏହା କୌଣସି ନିର୍ଦ୍ଦିଷ୍ଟ ଦେଶ ବିରୋଧରେ ନୁହେଁ, ବରଂ ଆଇନରୁ ଖସିଯାଉଥିବା ଅପରାଧୀଙ୍କୁ ଟାର୍ଗେଟ୍ କରି କରାଯାଇଛି।
କମ୍ ଖର୍ଚ୍ଚ ଏବଂ ସହଜ ଯୋଗାଯୋଗ ଯୋଗୁଁ ଭାରତୀୟଙ୍କ ପାଇଁ ଥାଇଲ୍ୟାଣ୍ଡ ଏକ ପ୍ରମୁଖ ଆକର୍ଷଣ ସାଜିଛି। ଏହି ନୂଆ ନିୟମ ଦ୍ୱାରା ଭାରତୀୟ ଯାତ୍ରୀମାନେ ସିଧାସଳଖ ପ୍ରଭାବିତ ହେବେ:
| ପୂର୍ବ ସୁବିଧା | ଆଗାମୀ ନୂଆ ନିୟମ |
|---|---|
| ଭାରତୀୟମାନେ ବିନା ଭିସାରେ ୬୦ ଦିନ ରହିପାରୁଥିଲେ। | ଏବେ ସର୍ବାଧିକ ୩୦ ଦିନ ପର୍ଯ୍ୟନ୍ତ ହିଁ ରହିପାରିବେ। |
| ଯାଞ୍ଚ ପ୍ରକ୍ରିୟା ସହଜ ଥିଲା। | ଏବେ ଏୟାରପୋର୍ଟରେ ଇମିଗ୍ରେସନ ଯାଞ୍ଚ ପୂର୍ବ ଅପେକ୍ଷା କଡ଼ାକଡ଼ି ହେବ। |
| ଦସ୍ତାବିଜ୍ ଯାଞ୍ଚ ସାଧାରଣ ଥିଲା। | ଯାତ୍ରୀମାନଙ୍କୁ ନିଜର ଫେରିବା ଟିକେଟ ଏବଂ ହୋଟେଲ ବୁକିଂର ପ୍ରମାଣ ଦେଖାଇବାକୁ ପଡ଼ିପାରେ। |
ତେଣୁ, ଆଗକୁ ଯଦି ଆପଣ ଥାଇଲ୍ୟାଣ୍ଡ ଯାତ୍ରାର ଯୋଜନା କରୁଛନ୍ତି, ତେବେ ୩୦ ଦିନରୁ କମ୍ ସମୟର ପ୍ଲାନ୍ ପ୍ରସ୍ତୁତ କରନ୍ତୁ ଏବଂ ନିଜର ସମସ୍ତ ଜରୁରୀ ଯାତ୍ରା ଦସ୍ତାବିଜ୍ ସାଙ୍ଗରେ ରଖନ୍ତୁ।