ଗଜପତି ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନ ବୁଲି ଦେଖିଲେ 5T ସଚିବ

ଗଜପତି ଜିଲ୍ଲା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଆଜି 5T ସଚିବଙ୍କ ଗଜପତି ଗସ୍ତର ଦ୍ୱିତୀୟ ଦିନ । ସକାଳୁ ସକାଳ ସେ ଜିରାଙ୍ଗର ବୌଦ୍ଧ ମନ୍ଦିର ବୁଲିଥିଲେ । ଏହାପରେ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ୍ ପରିଦର୍ଶନ କରିଥିଲେ । ଏହି ଅବସରରେ ଗୁମ୍ମାର ମିନି ଷ୍ଟାଡିୟମ ମଧ୍ୟ ବୁଲି ଦେଖିଥିଲେ 5T ସେକ୍ରେଟାରୀ ।

ସେଠାରେ କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ଅନେକ ଜନହିତକର ଯୋଜନା ରହିଛି । ସେଗୁଡ଼ିକ ମଧ୍ୟରୁ ପରିବା ଶୀତଳଭଣ୍ଡାର,ଯାତ୍ରୀ ବିଶ୍ରାମଗାର, ସାମୁହିକ ବଜାର ପ୍ରାଙ୍ଗଣ ସହ ନୂତନ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି 5T ସଚିବ । ଉପାନ୍ତ ଅଞ୍ଚଳରେ ଶିକ୍ଷା ଅନୁଷ୍ଠାନରେ 5T ରୂପାନ୍ତରଣ ହାଇସ୍କୁଲଗୁଡ଼ିକୁ ମଧ୍ୟ ବୁଲି ଦେଖିଛନ୍ତି।ଏଥିସହ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । ପାରଳାଖେମୁଣ୍ଡି ବେତାଗୁଡ଼ାସ୍ଥିତ ଅନ୍ୱେଷା କାର୍ଯ୍ୟାଳୟ ପରିସରରେ ପାରଳା ପୌର ପରିଷଦର କାଉନସିଲରମାନଙ୍କ ସହ ସେ ଆଲୋଚନା କରିଛନ୍ତି ।

ଜନସାଧାରଣଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ଗୋଷାଣୀ ବ୍ଲକ ଗସ୍ତରେ ଯାଇଥିଲେ । ରାମ ସାଗର ଓ କୃଷ୍ଣ ସାଗର ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ୍ । ଏସବୁ ସାଗର ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ହେବ । ଏହାର ଉନ୍ନତିକରଣ ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ନେଇ ପ୍ରଶାସନ ସହ ଆଲୋଚନା କରିଛନ୍ତି । ଗୋଷାଣୀ ବ୍ଲକର ମିଶନ ଶକ୍ତି ଦ୍ବାରା ପରିଚାଳିତ କାଫେ ପରିଦର୍ଶନ କରିଥିଲେ 5T ସଚିବ । ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବୋଧିତ କରିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟଖାଇ ଭୁବନେଶ୍ୱର ଫେରିଛନ୍ତି ।

Leave a Reply

Your email address will not be published. Required fields are marked *