ଷ୍ଟ୍ରିଟ୍ ଲାଇଟ୍ ଠାରୁ ପାନୀୟଜଳ ପ୍ରକଳ୍ପ—ପଦନିପାଳ ପଞ୍ଚାୟତରେ ଦୁର୍ନୀତିର ଲମ୍ବା ତାଲିକା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଧୀନ ପଦନିପାଳ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟ ନାମରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗକୁ ନେଇ ଅସନ୍ତୋଷ ବଢ଼ିଛି। ପଞ୍ଚାୟତର ୫୦ରୁ ଅଧିକ ଗ୍ରାମବାସୀ ଆଳି ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କୁ ଭେଟି ଏକ ଲିଖିତ ଅଭିଯୋଗପତ୍ର ଦାଖଲ କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ପଦନିପାଳ ପଞ୍ଚାୟତରେ ଦୀର୍ଘଦିନ ଧରି ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇ ପଡ଼ିଥିବା ସତ୍ତ୍ୱେ ମରାମତି ନାଁରେ ସରକାରୀ ଅର୍ଥ ବ୍ୟୟ ଦେଖାଇ ହଡପ କରାଯାଇଛି। ସେହିପରି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଟିଭି, ଚେୟାର, ଟେବୁଲ ଓ ଆଲମିରାକୁ ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ଘରକୁ ନେଇଯାଇ ନୂଆ ଆସବାବପତ୍ର କିଣା ନାଁରେ ସରକାରୀ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି।

ଏହାଛଡ଼ା ପାନୀୟଜଳ ଯୋଗାଣ ପ୍ରକଳ୍ପର ପରିଚାଳନା ଓ ମରାମତି ନାଁରେ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ହଡପ କରାଯାଇଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଲ୍ଲିସଭାରେ ୱାର୍ଡ ସଦସ୍ୟ ଓ ସାଧାରଣ ଲୋକଙ୍କୁ ନ ଡାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନରେ ସରପଞ୍ଚ ମନମୁଖୀ ଭାବେ କାର୍ଯ୍ୟ କରୁଥିବାର ଅଭିଯୋଗ ମଧ୍ୟ ଉଠିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ଚାରି ବର୍ଷ ଧରି ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟକୁ ଅଣଦେଖା କରାଯାଇ ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯାଇଛି। ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।

ସପ୍ତାହକ ମଧ୍ୟରେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରି ଆବଶ୍ୟକ ପଦକ୍ଷେପ ନ ନିଆଗଲେ ପଦନିପାଳ ପଞ୍ଚାୟତବାସୀ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।