
ଶ୍ରୀକ୍ଷେତ୍ର ପୁରୀରେ ଆଜି ପାଳନ ହେଉଛି ପବିତ୍ର ହେରାପଞ୍ଚମୀ। ରଥଯାତ୍ରାର ପଞ୍ଚମ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ମାନବୀୟ ଲୀଳା ଦେଖିବାକୁ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଏହି ଦିନ ଅଭିମାନିନୀ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ନନ୍ଦିଘୋଷ ରଥ ନିକଟକୁ ଯାଇ ରଥର ଚକ ଭାଙ୍ଗିବାର ପ୍ରାଚୀନ ପରମ୍ପରା ପାଳନ କରିବେ। ପୌରାଣିକ ବିଶ୍ୱାସ ଅନୁସାରେ, ମହାପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମାଉସୀମା’ ଘରକୁ ଯାଇଥିବାରୁ ଶ୍ରୀଦେବୀ ମହାଲକ୍ଷ୍ମୀ ଅଭିମାନ କରନ୍ତି। ସେହି ଅଭିମାନର ପ୍ରତୀକ ସ୍ୱରୂପ ହେରାପଞ୍ଚମୀ ରାତିରେ ନନ୍ଦିଘୋଷ ରଥର ଚକ ଭାଙ୍ଗି ଶ୍ରୀମନ୍ଦିରକୁ ଫେରିଯାଆନ୍ତି।
ଆଜି ସନ୍ଧ୍ୟା ଆଳତୀ ପରେ ବିମାନ ଓ ପଟୁଆରରେ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତଙ୍କ ଦ୍ୱାରା କର୍ପୂର ବନ୍ଦାପନା, ବଳିତା ବନ୍ଦାପନା ଓ ଚାଉଳ ବନ୍ଦାପନା ନୀତି ସମ୍ପନ୍ନ ହେବ। ଏହି ସମୟରେ ମହାପ୍ରଭୁଙ୍କ ମୁଖଚୁମ୍ବିତ ଅଧରମାଳା ମା’ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ। କିନ୍ତୁ ସଂଧ୍ୟାଧୂପ ନୀତି ସମୟରେ ଟେରା ପଡ଼ିଥିବାରୁ ମହାପ୍ରଭୁଙ୍କ ସହ ସାକ୍ଷାତ ନ ହୋଇପାରିବାରୁ ମା’ ଅଧିକ ଅଭିମାନ କରିବେ। ପରେ ନାକଚଣା ଦ୍ୱାର ଦେଇ ବାହାରି ନନ୍ଦିଘୋଷ ରଥର ଚକ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।
ହେରାପଞ୍ଚମୀ ନୀତି ପରେ ତିନିରଥକୁ ଦକ୍ଷିଣମୋଡ଼ କରାଯିବ। ଏହା ବାହୁଡାଯାତ୍ରା ପାଇଁ ମହାପ୍ରଭୁଙ୍କ ନିର୍ଦ୍ଦେଶର ପ୍ରତୀକ ବୋଲି ବିଶ୍ୱାସ କରାଯାଏ।ଏପଟେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ହେରାପଞ୍ଚମୀ ଉପଲକ୍ଷେ ଅଧିକ ସଂଖ୍ୟାରେ ଭକ୍ତ ଆସିବାକୁ ଥିବାରୁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକଙ୍କ ସୂଚନା ଅନୁସାରେ, ମନ୍ଦିର ସୁରକ୍ଷାକୁ ୮ଟି ସେକ୍ଟରରେ ବିଭକ୍ତ କରାଯାଇଛି ଏବଂ ବାହୁଡା ପୂର୍ବରୁ ରଥ ଦକ୍ଷିଣମୋଡ଼ ପାଇଁ ୫୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ସେହିପରି ଅନଲାଇନରେ ଭିଆଇପି ଦର୍ଶନ ନାଁରେ ପ୍ରଚାରିତ ବିଜ୍ଞାପନକୁ ନେଇ ଆଇଜି ସ୍ପଷ୍ଟ କରିଛନ୍ତି ଯେ, ଭିଆଇପି ଦର୍ଶନ ପାଇଁ କୌଣସି ସରକାରୀ ବ୍ୟବସ୍ଥା କିମ୍ବା ନିୟମ ନାହିଁ। ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦାଖଲ କରାଯାଇଛି। ହେରାପଞ୍ଚମୀର ଏହି ଅନନ୍ୟ ମାନବୀୟ ଲୀଳାକୁ ସାକ୍ଷାତ୍ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତମାନେ ଅପେକ୍ଷାରେ ରହିଛନ୍ତି। ଭକ୍ତି, ପରମ୍ପରା ଓ ଭାବବିହ୍ୱଳତାର ଏହି ଦିବ୍ୟ ଉତ୍ସବ ଆଜି ଶ୍ରୀକ୍ଷେତ୍ରରେ ସୃଷ୍ଟି କରିବ ଅଲୌକିକ ପରିବେଶ।