କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ବିରୋଧରେ ନିଜର ଆକ୍ରମଣକୁ ଏକ ନୂଆ ସ୍ତରକୁ ନେଇଯାଇଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନ ଫଳାଫଳ ପରେ, ସେ ଶାସକ ଦଳକୁ ‘ଲୋକାଦେଶର ଚୋର’ ଭାବେ ଚିତ୍ରିତ କରି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି।

ବୁଧବାର ସାମାଜିକ ଗଣମାଧ୍ୟମରେ ଏକ କଡ଼ା ପୋଷ୍ଟ କରି ରାହୁଲ କହିଛନ୍ତି: ପ୍ରତି ୬ ଜଣରେ ଜଣେ ବିଜେପି ସାଂସଦ ଜନମତକୁ ଚୋରି କରି ସଂସଦକୁ ଆସିଛନ୍ତି। ଯଦି ବିଜେପି ଭାଷାରେ କୁହାଯାଏ, ତେବେ ଏହି ସାଂସଦମାନେ ହେଉଛନ୍ତି ଗଣତନ୍ତ୍ରର ‘ଅନୁପ୍ରବେଶକାରୀ’। ରାହୁଲ ଦାବି କରିଛନ୍ତି ଯେ, ଯଦି ଆଜି ଦେଶରେ ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ହୁଏ, ତେବେ ବିଜେପି ୧୪୦ଟି ଆସନ ଅତିକ୍ରମ କରିବା ମଧ୍ୟ କଷ୍ଟକର ହୋଇପଡ଼ିବ। ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ କଳ ପର୍ଯ୍ୟନ୍ତ ସବୁକିଛି ବିଜେପି ନିଜ ପକେଟରେ ରଖିଛି। ଭୋଟର ତାଲିକାରେ ହେରଫେର କରି ବିଜେପି କେତେବେଳେ ଜଣକର ଆସନ ତ ଆଉ କେତେବେଳେ ପୂରା ସରକାର ଚୋରି କରୁଛି। ମଙ୍ଗଳବାର ମଧ୍ୟ ରାହୁଲ ଆସାମ ଏବଂ ପଶ୍ଚିମବଙ୍ଗର ନିର୍ବାଚନୀ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ ଏହି ରାଜ୍ୟଗୁଡ଼ିକରେ ସରକାରୀ କଳକୁ ବ୍ୟବହାର କରି ବିରୋଧୀଙ୍କ ସ୍ୱରକୁ ଚାପି ଦିଆଯାଇଛି। ବିଶେଷ କରି ମେ ୪ର ଫଳାଫଳ ପରେ ସେ ଏହି “ଚୋରି”ର ଏକ ନିର୍ଦ୍ଦିଷ୍ଟ ପ୍ୟାଟର୍ନ ଦେଶବାସୀଙ୍କ ସାମ୍ନାରେ ରଖିବାକୁ ଚେଷ୍ଟା କରୁଛନ୍ତି। ରାହୁଲଙ୍କ କହିବା ଅନୁଯାୟୀ, ବିଜେପି କେବଳ ନିର୍ବାଚନ ଜିତୁନାହିଁ, ବରଂ ଗଣତନ୍ତ୍ରର ମୂଳଦୁଆକୁ ଦୋହଲାଇ ଦେଉଛି।
“ଯେଉଁମାନେ ଭୋଟ ଚୋରି କରନ୍ତି, ସେମାନେ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ ରୁହନ୍ତି ନାହିଁ। ସେମାନେ କେବଳ ନିଜର ଶିଳ୍ପପତି ବନ୍ଧୁଙ୍କ ସ୍ୱାର୍ଥ ରକ୍ଷା କରନ୍ତି।”