ବାଇକ୍‌କୁ ପଛରୁ ପିଟିଲା ବସ୍, ଚାଲିଗଲା ୨ ଜୀବନ

ସାଲେପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗାମୀ ଘରୋଇ ବସ୍ ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଅଧୀନ ନାନ୍ଦୋଳ ଗଡ଼ା ସ୍ଥିତ ଚାଣକ୍ୟ ହୋଟେଲ ସମ୍ମୁଖରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ଦୁଇଜଣ ବ୍ୟକ୍ତି ଏକ ବାଇକ୍‌ରେ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ ପଛପଟୁ ଆସୁଥିବା ଦ୍ରୁତଗାମୀ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଦୁର୍ଘଟଣା ପରେ ବସ୍‌ଟି କେନ୍ଦ୍ରାପଡ଼ା ଅଭିମୁଖେ ଚାଲିଯାଉଥିବା ବେଳେ ପୁଲିସ ସାଲେପୁର ବସ୍‌ଷ୍ଟାଣ୍ଡ ନିକଟରେ ବସ୍‌କୁ ଜବତ କରିଛି। ମୃତ ଦୁଇଜଣଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସେମାନେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବୋଲି ପ୍ରାଥମିକ ସୂଚନା ମିଳିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଉଭୟଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।