
ଆମ ରୋଷେଇ ଘରେ ଏମିତି ଅନେକ ପାରମ୍ପରିକ ଖାଦ୍ୟ ରହିଛି, ଯାହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ। ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ । ଯାହା ଆମକୁ ଅନେକ ପ୍ରୋଟିନ ଯୋଗାଇଥାଏ । ସେହିଭଳି ଏକ ପୌଷ୍ଟିକ ଖାଦ୍ୟ ହେଉଛି କୋଳଥ ଡାଲି। ଏହାରେ ପ୍ରୋଟିନ୍, ଫାଇବର, ଆଇରନ୍, କ୍ୟାଲସିୟମ୍ ଏବଂ ବିଭିନ୍ନ ଖଣିଜ ତତ୍ତ୍ୱ ରହିଥାଏ। କୋଳଥ ଡାଲିକୁ ପୋଷକ ତତ୍ତ୍ବର ଭଣ୍ଡାର ବୋଲି ବିବେଚନା କରାଯାଏ ।
ଆୟୁର୍ବେଦ ଅନୁସାରେ ଏହି ଡାଲି ଶରୀରର କଫ,ବାତ ଏବଂ ସହଜରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ।ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ କୋଳଥ ଡାଲି ଭଲ ବିକଳ୍ପ ହୋଇପାରେ। ଏଥିରେ ଫାଇବର ଅଧିକ ଥିବାରୁ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରା ଲାଗେ ଏବଂ ବାରମ୍ବାର ଭୋକ ଲାଗିବା କମିପାରେ। ଯେଉଁମାନଙ୍କର ପ୍ରୋଟିନ୍ ଅଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳେ ସେହିମାନଙ୍କ ପାଇଁ ଏହି ଡାଲି ବେଷ୍ଟ ହୋଇଥାଏ ।
ହଜମ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ହୋଇପାରେ। ଫାଇବର ହଜମ ପ୍ରକ୍ରିୟାକୁ ସମର୍ଥନ କରି କୋଷ୍ଠକାଠିନ୍ୟ କମାଇବାରେ ସାହାଯ୍ୟ କରେ। ରକ୍ତହୀନତାର ଝୁକି ଥିବା ଲୋକଙ୍କ ପାଇଁ କୋଳଥ ଡାଲିରେ ଥିବା ଆଇରନ୍ ଉପକାରୀ ହୋଇପାରେ। ତେବେ ଗୁରୁତର ରକ୍ତହୀନତା ଥିଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ। ହାଡ଼କୁ ମଜବୁତ ରଖିବାରେ ଏଥିରେ ଥିବା କ୍ୟାଲସିୟମ୍ ଓ ଫସଫରସ୍ ସାହାଯ୍ୟ କରିପାରେ। ଶରୀରକୁ ପ୍ରୋଟିନ୍ ଯୋଗାଇବାରେ କୋଳଥ ଡାଲି ଏକ ଭଲ ଉତ୍ସ। ତେଣୁ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କ ପାଇଁ ଏହା ଖାଦ୍ୟ ତାଲିକାରେ ସାମିଲ କରାଯାଇପାରେ। ଯଦି ଆପଣଙ୍କର କିଡ଼ନୀ ଜନିତ ସମସ୍ୟା ରହିଛି ତେବେ କୋଳଥ ଡାଲି ଡାଏଟରେ ସାମିଲ କରନ୍ତୁ ।
କୋଳଥ ଡାଲି ଖାଇବା ଦ୍ବାରା କିଡ଼ନୀ ଷ୍ଟୋନକୁ ସହଜରେ ନଷ୍ଟ କରାଯାଇପାରିବ । କୋଳଥ ଡାଲି ଖାଇବା ଦ୍ବାରା ଏହା ପରିସ୍ରା ମାଧ୍ୟମରେ ଶରୀରରୁ ଷ୍ଟୋନ୍ ବାହାର କରିବାରେ ସାହାଯ୍ୟ କରେ ।ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା,ଅତ୍ୟଧିକ ନାକ ବନ୍ଦ ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଛି କିମ୍ବା ଯଦି ଆପଣ ସାଇନସ୍ ସମସ୍ୟା ରେ ପୀଡିତ ତେବେ ଆପଣଙ୍କ ଡାଏଟ୍ ଲିଷ୍ଟରେ ନିଶ୍ଚିତ ଭାବେ କୋଳଥ ଡାଲି ଆଡ୍ କରନ୍ତୁ।
ଆପଣ କୋଳଥ ଡାଲିକୁ କାଢା ଭାବରେ ମଧ୍ୟ ସେବନ କରିପାରିବେ ।କୋଳଥ ଡାଲିରେ କ୍ୟାଲିସିୟମ ଏବଂ ଫସଫରସର ଗୁଣ ରହିଛି ।ଯାହା ହାଡ଼କୁ ମଜବୁତ କରି ରଖିଥାଏ । ଏହା ସହିତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲୋମେଣ୍ଟାଣୀ ଗୁଣ ଥିବାରୁ ପ୍ରଦାହ ହ୍ରାସ କରିବାରେ ସାହାଯ୍ୟ କରେ ।