ଏକ ବାପା-ଝିଅର ଖୁସିର ଫଟୋକୁ ନେଇସୋସିଆଲ୍ ମିଡିଆରେ ବିବାଦ

ନିଜ ଝିଅ ସହ ଏକ ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ। ଘଟଣାକୁ ନେଇ ନିଜେ ପ୍ରତିକ୍ରିୟା ରଖିବା ସହ ଗଭୀର ଭାବେ ମର୍ମାହତ ହୋଇଥିବା କହିଛନ୍ତି ଜିଲ୍ଲାପାଳ।କଥାଟା ଆରମ୍ଭ ହୋଇଥିଲା ଅଗଷ୍ଟ ୧୫ ତାରିଖର ଏକ ଫଟୋରୁ । ସ୍ୱାଧୀନତା ଦିବସ ଦିନ ଥିଲା ଜିଲ୍ଲାପାଳଙ୍କ ଜନ୍ମଦିନ। ସରକାରୀ କାମରେ ବ୍ୟସ୍ତ ରହିବାରୁ ସେ ଠିକ୍ ସମୟରେ ଘରକୁ ଫେରିପାରିନଥିଲେ । ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ଝିଅ ଅଫିସ୍‌କୁ ଆସିଥିଲେ।ବାପାଙ୍କୁ ଦେଖି ଖୁସିରେ ଝିଅ ତାଙ୍କ କାନ୍ଧ ଉପରେ ହାତ ରଖି ଫଟୋ ଉଠାଇଥିଲେ।

ସେହି ଖୁସିର ମୁହୂର୍ତ୍ତକୁ ଝିଅ ନିଜ ଫେସବୁକ୍‌ରେ ମଧ୍ୟ ସେୟାର କରିଥିଲେ। କିନ୍ତୁ ଏହି ସାଧାରଣ ପାରିବାରିକ ଫଟୋକୁ ନେଇ ହଠାତ୍ ଆରମ୍ଭ ହେଲା ବିବାଦ।ଜଣେ ଗଣମାଧ୍ୟମ ପ୍ରତିନିଧି ଫଟୋକୁ ନେଇ ମତ ରଖିବା ପରେ ଏହା ସୋସିଆଲ୍ ମିଡିଆରେ ଟ୍ରୋଲିଂର ରୂପ ନେଲା। ଝିଅଙ୍କୁ ନେଇ ବ୍ୟବହାର କରାଯାଇଥିବା ଶବ୍ଦରେ ଆଘାତ ପାଇଥିବା କହିଛନ୍ତି ଜିଲ୍ଲାପାଳ।ଏହାପରେ ନିଜେ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛନ୍ତି ନୃପରାଜ ସାହୁ। ସେ କହିଛନ୍ତି— ଜଣେ ସମ୍ବେଦନଶୀଳ ବ୍ୟକ୍ତି ହିସାବରେ ଏଭଳି ଘଟଣା ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛି। କୌଣସି ଘଟଣାର ପୂରା ତଥ୍ୟ ନଜାଣି ମତାମତ ରଖିବା ଠିକ୍ ନୁହେଁ ।
ଜିଲ୍ଲାପାଳଙ୍କ ଆହୁରି ମତଦେଇଛନ୍ତି ଯେ, ସେ ପାରିବାରିକ ଓ ମାନବିକ ସମ୍ପର୍କକୁ ସବୁବେଳେ ସମ୍ମାନ କରନ୍ତି।

ଜଣେ ଝିଅ ତାଙ୍କ ବାପାଙ୍କୁ ଭଲପାଇବା, ଶ୍ରଦ୍ଧା ଜଣାଇବା କିମ୍ବା ବାପାଙ୍କ ସହ ଖୁସିର ଫଟୋ ଉଠାଇବା— ଏହା ଏକ ସାଧାରଣ ପାରିବାରିକ ମୁହୂର୍ତ୍ତ। ତେବେ ଟ୍ରୋଲିଂ ପରେ ଜିଲ୍ଲାପାଳଙ୍କ ସମର୍ଥନରେ ମଧ୍ୟ ଅନେକ ଲୋକ ମୁହଁ ଖୋଲିଛନ୍ତି। ବାପା ଓ ଝିଅର ଏହି ସମ୍ପର୍କକୁ ନେଇ ଅନୁଚିତ ମତାମତ ନଦେବାକୁ ସେମାନେ କହିଛନ୍ତି। ଏବେ ବଡ଼ ପ୍ରଶ୍ନ
ଏକ ବାପା-ଝିଅର ଖୁସିର ଫଟୋକୁ ନେଇ ଏତେ ବିବାଦ କାହିଁକି ? ସୋସିଆଲ୍ ମିଡିଆରେ ମତ ରଖିବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା ଦରକାର ନା ନାହିଁ ?
ଫଟୋ ଗୋଟିଏ… କିନ୍ତୁ ତାକୁ ନେଇ ବିବାଦ ଏବେ ବଡ଼ ଚର୍ଚ୍ଚାର ବିଷୟ। ଆଉ ଏହି ବିବାଦ ଭିତରେ ଜିଲ୍ଲାପାଳଙ୍କ ଗୋଟିଏ କଥା ସ୍ପଷ୍ଟ ପାରିବାରିକ ସମ୍ପର୍କକୁ ନେଇ ମତ ଦେବା ପୂର୍ବରୁ ସମ୍ବେଦନଶୀଳତା ରହିବା ଦରକାର।