
କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍ ମନୋଜ ନାୟକ ଜଣେ ଆଶା ଦିଦିଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଫତେପୁର ଗ୍ରାମର ଆଶା କର୍ମୀ ରିନା ଲେଙ୍କାଙ୍କ ଆଧାର କାର୍ଡ ଏବଂ ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟରେ ଜନ୍ମ ତାରିଖକୁ ନେଇ ଅମେଳ ଦେଖାଦେଇଥିଲା। ଆଧାର କାର୍ଡ ତୁଳନାରେ ସାର୍ଟିଫିକେଟରେ ତାଙ୍କର ଜନ୍ମ ତାରିଖ ଦୁଇ ବର୍ଷ କମ୍ ଥିଲା।ନିୟମ ଅନୁଯାୟୀ, ସାର୍ଟିଫିକେଟରେ ଥିବା ଜନ୍ମ ତାରିଖକୁ ଆଧାର କରି ଚାକିରିରୁ ଅବସର ନେବା କଥା ଏବଂ ଆଧାର କାର୍ଡରେ ଜନ୍ମ ତାରିଖ ସଂଶୋଧନ କରାଯିବା କଥା। ମାତ୍ର ବିପିଏମ୍ ମନୋଜ ନାୟକ ଏହି ନିୟମକୁ ଆଳ କରି ଆଶା ଦିଦିଙ୍କୁ ବ୍ଲାକମେଲ୍ କରିଥିଲେ। ୨୦ ଟଙ୍କା ଲାଞ୍ଚ ନ ଦେଲେ ଆଧାର କାର୍ଡ ଅନୁଯାୟୀ ଅବସର ପାଇଁ କାଗଜପତ୍ର ଉପରିସ୍ଥ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଇ ଦେବେ ବୋଲି ବିପିଏମ୍ ମନୋଜ ନାୟକ ଧମକ ଦେଇଥିଲେ। ଏନେଇ ଅତିଷ୍ଠ ହୋଇ ଆଶା ଦିଦି ରିନା ଲେଙ୍କା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ଏବଂ ଏକ ଲିଖିତ ଅଭିଯୋଗ କରିଥିଲେ।ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ଟିମ୍ ପରାମର୍ଶ କ୍ରମେ ଆଶା ଦିଦି ରିନା ଲେଙ୍କା କେମିକାଲ ବୋଳା ୨୦,୦୦୦ ଟଙ୍କା ନେଇ ବିପିଏମ୍ ମନୋଜ ନାୟକଙ୍କୁ ଦେଉଥିଲେ। ଠିକ୍ ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ମନୋଜ ନାୟକଙ୍କୁ ହାତେରୋମାତେ କାବୁ କରିଥିଲା।ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ବିପିଏମଙ୍କୁ ଗିରଫ କରିଛି ଏବଂ ଏହି ମାମଲାର ଅଧିକ ତା ତଦନ୍ତ ଜାରି ରଖିଛି।