US Iran Tension : ସାରା ବିଶ୍ୱରେ ବନ୍ଦ ହୋଇଯିବ କି ଇଣ୍ଟରନେଟ୍ ? ଇରାନର ଧମକରେ ଆତଙ୍କ!

ଆମେରିକା ଓ ଇରାନ ମଧ୍ୟରେ ପୁଣି ଯୁଦ୍ଧର ଆଶଙ୍କା। ଇରାନ ଉପରେ ଆଉ ଏକ ବଡ଼ ସାମରିକ ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅନ୍ୟପଟେ ଟ୍ରମ୍ପଙ୍କ ଚେତାବନୀ ପରେ କଡ଼ା ଜବାବ ଦେଇଛି ତେହେରାନ। ଆମେରିକା କିମ୍ବା ଇସ୍ରାଏଲ ପୁଣି ଆକ୍ରମଣ କଲେ ସମୁଦ୍ର ତଳେ ବିଛାଯାଇଥିବା ଇଣ୍ଟରନେଟ୍ କେବୁଲକୁ ଧ୍ୱଂସ କରିବାକୁ ଧମକ ଦେଇଛି ଇରାନ।

ଶୁକ୍ରବାର ଫ୍ଲୋରିଡାରେ ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ଆମେରିକା ପୁଣିଥରେ ଇରାନ ବିରୋଧରେ ସାମରିକ ଅଭିଯାନ ଚଳାଇପାରେ। ଏଥିପାଇଁ ସେ ‘ଲିଟିଲ୍ ଏପିକ୍ ଫ୍ୟୁରି’ ନାମ ଉଲ୍ଲେଖ କରିଛନ୍ତି। ତେବେ କେବେ ଓ କିଭଳି ଆକ୍ରମଣ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ଅନ୍ୟପଟେ ରଏଟର୍ସକୁ ଦୁଇଜଣ ବରିଷ୍ଠ ଇରାନୀ ସୁରକ୍ଷା ଅଧିକାରୀ କହିଛନ୍ତି, ଆକ୍ରମଣ ହେଲେ ପାରସ୍ୟ ଉପସାଗରରେ ଥିବା ସମୁଦ୍ର ତଳର ଯୋଗାଯୋଗ କେବୁଲକୁ ଟାର୍ଗେଟ କରାଯାଇପାରେ। ଇରାନର ରିଭୋଲ୍ୟୁସନାରୀ ଗାର୍ଡ୍ସର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ହର୍ମୁଜ ପ୍ରଣାଳୀ ତଳେ ଥିବା ସାତଟି ପ୍ରମୁଖ ଇଣ୍ଟରନେଟ୍ କେବୁଲକୁ ନିଶାନା କରିବାର ଚେତାବନୀ ଦେଇଛନ୍ତି।

ଯଦି ଏହି କେବୁଲଗୁଡ଼ିକ କ୍ଷତିଗ୍ରସ୍ତ ହୁଏ, ତେବେ ବିଭିନ୍ନ ଦେଶରେ ଇଣ୍ଟରନେଟ୍ ସେବା, ବ୍ୟାଙ୍କିଙ୍ଗ୍ କାରବାର, ଅନଲାଇନ୍ ବ୍ୟବସାୟ ଓ କ୍ଲାଉଡ୍ ସେବା ପ୍ରଭାବିତ ହୋଇପାରେ। ତେବେ ଏହାର ପ୍ରଭାବ ବିକଳ୍ପ ନେଟୱର୍କ ବ୍ୟବସ୍ଥା ଉପରେ ନିର୍ଭର କରିବ।

ଏହି ସମୟରେ ଫ୍ରାନ୍ସ ଓ ତୁର୍କୀ ନୂଆ ସାମରିକ ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଆଲୋଚନା ଓ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଦୁଇ ଦେଶ ଆହ୍ୱାନ ଦେଇଛନ୍ତି।

ତେବେ ଟ୍ରମ୍ପଙ୍କ ଚେତାବନୀ ପରେ ଏବେ ସାରା ବିଶ୍ୱର ନଜର ଆମେରିକା ଓ ଇରାନ ଉପରେ। ପୁଣି ଯୁଦ୍ଧ ହେବ ନା କୂଟନୈତିକ ଆଲୋଚନାରେ ବିବାଦର ସମାଧାନ ହେବ, ତାହାକୁ ନେଇ ବଢ଼ିଛି ଉତ୍କଣ୍ଠା।