ୱାଶିଂଟନ: ଆମେରିକାର ଟାରିଫ୍ ରାଜନୀତିକୁ ନେଇ ପୁଣିଥରେ ବିଶ୍ୱ ବାଣିଜ୍ୟ ଜଗତରେ ହଲଚଲ ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଶୁଳ୍କ ରଣନୀତି ଭାରତ, ଚୀନ୍, ଭିଏତନାମ ଓ ୟୁରୋପୀୟ ସଂଘ ସମେତ ବିଭିନ୍ନ ଦେଶର ଚିନ୍ତା ବଢ଼ାଇଛି। ଆମଦାନୀ ଶୁଳ୍କ ବୃଦ୍ଧି ପାଇଲେ ଅନ୍ତର୍ଜାତୀୟ ବାଣିଜ୍ୟ ଓ ରପ୍ତାନି କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକା ବାଣିଜ୍ୟ ପ୍ରତିନିଧି (USTR) ପକ୍ଷରୁ ଭାରତ ଉପରେ ସର୍ବାଧିକ ୨୫ ପ୍ରତିଶତ, ଚୀନ୍ ଉପରେ ୪୦ ପ୍ରତିଶତ ଏବଂ ଭିଏତନାମ ଉପରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ରଖାଯାଇଛି। ମୋଟ ୧୪ଟି ବାଣିଜ୍ୟିକ ସହଯୋଗୀଙ୍କୁ ଏହି ନୂଆ ଶୁଳ୍କ ପ୍ରସ୍ତାବରେ ସାମିଲ କରାଯାଇଛି।
ତେବେ ଭାରତ ପାଇଁ ଆଶ୍ୱସ୍ତିକର ଖବର ମଧ୍ୟ ରହିଛି। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେଲେ ଶୁଳ୍କ ହାର ୧୭ ପ୍ରତିଶତରେ ସୀମିତ ରହିପାରେ। ଆଲୋଚନା ବିଫଳ ହେଲେ ଏହା ୨୫ ପ୍ରତିଶତକୁ ବୃଦ୍ଧି ପାଇପାରେ। ସେହିପରି ଭିଏତନାମ ସହ ବାଣିଜ୍ୟ ଚୁକ୍ତି ହେଲେ ଶୁଳ୍କ ହାର ୨୦ ପ୍ରତିଶତରେ ସୀମିତ ରହିବାର ସମ୍ଭାବନା ରହିଛି।
ଆମେରିକାର ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ସହ ଅନ୍ୟ ଦେଶର ଅତ୍ୟଧିକ ଶିଳ୍ପ ଉତ୍ପାଦନ ଯୋଗୁଁ ସୃଷ୍ଟି ହେଉଥିବା ବାଣିଜ୍ୟିକ ଅସନ୍ତୁଳନ ଦୂର କରିବା ଏହି ରଣନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆମେରିକା ପ୍ରଶାସନ ଦର୍ଶାଇଛି। ଆମେରିକାର ବାଣିଜ୍ୟ ଆଇନର ଧାରା ୩୦୧ ଅଧୀନରେ ଏହି ନୂଆ ଶୁଳ୍କ ପ୍ରସ୍ତାବ ଆଣାଯାଇଛି। ଯଦି ଏହି ଶୁଳ୍କ କାର୍ଯ୍ୟକାରୀ ହୁଏ, ତେବେ ଭାରତର ବୟନଶିଳ୍ପ, ରତ୍ନ ଓ ଅଳଙ୍କାର, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଅନ୍ୟାନ୍ୟ ରପ୍ତାନି କ୍ଷେତ୍ର ଉପରେ ପ୍ରଭାବ ପଡ଼ିପାରେ। ଆମେରିକା ବଜାରରେ ଭାରତୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଲେ ଚାହିଦା ହ୍ରାସ ପାଇବାର ଆଶଙ୍କା ମଧ୍ୟ ରହିଛି।
ଅନ୍ୟପଟେ ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁଁ ଆମେରିକାରେ ମଧ୍ୟ ବିଭିନ୍ନ ସାମଗ୍ରୀର ଦର ବଢ଼ିପାରେ। ଏହାର ଅତିରିକ୍ତ ବୋଝ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି। ତେବେ ଏହି ନୂଆ ଶୁଳ୍କ ହାର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ବାଣିଜ୍ୟିକ ଆଲୋଚନା ଓ ଚୁକ୍ତି ଉପରେ ଚୂଡ଼ାନ୍ତ ଶୁଳ୍କ ହାର ନିର୍ଭର କରିବ। ଏଭଳି ସ୍ଥିତିରେ ଭାରତ-ଆମେରିକା ବାଣିଜ୍ୟ ଆଲୋଚନା କେଉଁ ମୋଡ଼ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।