ପାଲଘର ସାଧୁ ହତ୍ୟାର ଶୁଣାଣି ବନ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ

ପାଲଘର ସାଧୁ ହତ୍ୟା ମାମଲାର ଆଉ ଶୁଣାଣି କରିବେ ନାହିଁ ସୁପ୍ରିମ କୋର୍ଟ। ମହାରାଷ୍ଟ୍ର ସରକାର ମାମଲାକୁ ସିବିଆଇକୁ ଦେବା ପରେ ସର୍ବୋଚ୍ଚ କୋର୍ଟ ଏହାର ଶୁଣାଣି କରିବେ ନାହିଁ ବୋଲି ଜଣାପଡିଛି। 2020 ଏପ୍ରିଲ 16 ତାରିଖରେ ଦୁଇ ଜଣ ସାଧୁ ନିଜ ଗୁରୁଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାମିଲ ହେବାକୁ ଏକ କାରରେ ଯାଉଥିବା ବେଳେ ଭିଡ ହିଂସାର ଶିକାର ହୋଇଥିଲେ। ପିଲା ଚୋରକୁ ନେଇ ସେତେବେଳେ ସୃଷ୍ଟି ହୋଇଥିବା ଗୁଜବ ପାଇଁ ସ୍ଥାନୀୟ ଲୋକେ ପିଲା ଚୋର ସାଧୁ ବେଶରେ ବୁଲୁଥିବା ସନ୍ଦେହ କରି ସେମାନଙ୍କୁ ଧରି ପିଟିଥିଲେ।  ଫଳରେ 3 ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସେତେବେଳେ ସାରା ଦେଶରେ ପ୍ରବଳ ହଟଚମଟ ସୃଷ୍ଟି କରିଥିଲା ଘଟଣାଟି।

ଘଟଣାକୁ ନେଇ ମହାରାଷ୍ଟ୍ରର ଉଦ୍ଧବ ସରକାର ବିରୋଧରେ ଆରମ୍ଭ ହୋଇଥିଲା ବିକ୍ଷୋଭ। ମାମଲାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି ହୋଇଥିଲା। କିନ୍ତୁ ସିବିଆଇ ତଦନ୍ତ ପାଇଁ ଅରାଜି ଥିଲା ରାଜ୍ୟ ସରକାର। ସିବିଆଇ ବଦଳରେ ଘଟଣାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ବିରୋଧ କରି ସୁପ୍ରିମ କୋର୍ଟରେ ଦୁଇଟି ଯାଚିକା ଦାୟର କରାଯାଇ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ।

ତେବେ ବର୍ତ୍ତମାନର ଏକନାଥ ସିନ୍ଧେ ସରକାର ମାମଲାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଆଉ ମାମଲାର ଶୁଣାଣିର ଆବଶ୍ୟକତା ନଥିବାରୁ ଶୁଣାଣି ବନ୍ଦ କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ।

Leave a Reply

Your email address will not be published. Required fields are marked *