ବଲିଉଡ୍ର କିଙ୍ଗ୍ ଖାନ୍ଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍। ୬୧ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ ବାଦଶାହ ଶାହରୁଖ ଖାନ୍। ନଭେମ୍ବର ୨ ତାରିଖରେ ନିଜର ୬୧ତମ ଜନ୍ମଦିନ ପାଳନ କରୁଥିବା ଶାହରୁଖଙ୍କ ଗୋଟିଏ ଝଲକ ପାଇବାକୁ ମୁମ୍ବାଇରେ ଲାଗିଥିଲା ପ୍ରଶଂସକଙ୍କ ଭିଡ଼। ରବିବାର ବିଳମ୍ବିତ ରାତିରୁ ତାଙ୍କ ବାସଭବନ ମନ୍ନତ ବାହାରେ ହଜାର ହଜାର ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା।
ତେବେ ଚଳିତ ବର୍ଷ ଶାହରୁଖ ମନ୍ନତ ବାହାରେ ପ୍ରଶଂସକଙ୍କୁ ଦର୍ଶନ ଦେଇନଥିଲେ। କାରଣ ସେ କିଛି ସମୟ ପାଇଁ ନିଜ ବାସଭବନରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦକ୍ଷିଣ ମୁମ୍ବାଇର ତାଜ୍ ହୋଟେଲରେ ପରିବାର ଓ ନିକଟତମ ବନ୍ଧୁମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ କିଙ୍ଗ୍ ଖାନ୍। ଏହି ଉତ୍ସବରେ ପୁଅ ଆର୍ଯ୍ୟନ ଖାନ୍ ଓ ଝିଅ ସୁହାନା ଖାନ୍ ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି।
ପାର୍ଟି ଶେଷରେ ହୋଟେଲରୁ ବାହାରିବା ବେଳେ ଶାହରୁଖଙ୍କୁ ଦେଖି ଖୁସିରେ ଝୁମି ଉଠିଥିଲେ ପ୍ରଶଂସକ। ଚାରିଆଡ଼େ ଶୁଭିଥିଲା କିଙ୍ଗ୍ ଖାନ୍ଙ୍କ ନାଁ। ପ୍ରଶଂସକଙ୍କ ଭଲପାଇବା ଦେଖି ହାତ ହଲାଇ ଅଭିବାଦନ ଜଣାଇବା ସହ ଫ୍ଲାଇଂ କିସ୍ ଦେଇଥିଲେ ଶାହରୁଖ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅନ୍ୟପଟେ ଜନ୍ମଦିନ ଅବସରରେ ମନ୍ନତକୁ ସ୍ୱତନ୍ତ୍ର ଭାବେ ସଜାଯାଇଥିଲା। ଘର ବାହାରେ ଲାଗିଥିବା ବିଶାଳ ସ୍କ୍ରିନ୍ରେ ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’ର ଝଲକ ପ୍ରଦର୍ଶିତ ହୋଇଥିଲା। ପ୍ରଶଂସକଙ୍କ ଶୁଭେଚ୍ଛା ଓ ଭଲପାଇବା ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଜରିଆରେ ଧନ୍ୟବାଦ ମଧ୍ୟ ଜଣାଇଥିଲେ ଅଭିନେତା।
ଏହାସହ ଜନ୍ମଦିନ ଅବସରରେ ‘କିଙ୍ଗ୍’ ଫିଲ୍ମର ପ୍ରଥମ ଗୀତ ‘ତୁ ମିଲ୍ ଯାଏ’ ରିଲିଜ୍ ହୋଇଛି। ଏଥିରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ୍ ନଜର ଆସିଛନ୍ତି। ଆସନ୍ତା ଡିସେମ୍ବର ୨୪ ତାରିଖରେ ପ୍ରେକ୍ଷାଳୟକୁ ଆସିବ ଏହି ବହୁପ୍ରତୀକ୍ଷିତ ଫିଲ୍ମ।