ମଲାୱି ମତ୍ସ୍ୟଜୀବୀଙ୍କ ଅଜବ ବେପାର…

ଦକ୍ଷିଣ ଆଫ୍ରିକାର ମଲାୱି ମତ୍ସ୍ୟ ବ୍ୟବସାୟ ପାଇଁ ଜଣାଶୁଣା।  ଦେଶର ଅଧିକାଂଶ ଲୋକ ଏହି କାର୍ଯ୍ୟରେ ସମ୍ପୃକ୍ତ। କିଛି ସମୁଦ୍ରରୁ ମାଛ ଧରୁଥିବା ବେଳେ କିଛି ମାଛ ବିକି ଗୁଜୁରାଣ ମେଣ୍ଟାଇଥାନ୍ତି। ଏହି ବ୍ୟବସାୟରୁ ଦେଶର ମୋଟ ଜିଡିପିର ୪ ପ୍ରତିଶତ ଆସିଥାଏ। କିନ୍ତୁ ସେଠାରେ ମାଛ ବିକି ପରିବାର ଚଳାଉଥିବା ମହିଳାଙ୍କୁ ଦେବାକୁ ହୋଇଥାଏ ବହୁ ମୂଲ୍ୟ।  ନିଜ ଶରୀର ଦେଇ ସେମାନେ ମାଛ ବିକିଥାନ୍ତି। ହଁ, ମାଛ ଧରାଳୀଙ୍କ ଠାରୁ ମାଛ କିଣିବାକୁ ସେମାନଙ୍କୁ ସେକ୍ସ କରିବାକୁ ହୋଇଥାଏ। ଏମିତି ଖୁଲାସା କରିଛନ୍ତି ମାଛ ପାଇଁ ବହୁବାର ଦେହ ବ୍ୟବସାୟ କରିଥିବା ସେଠାର ଜଣେ ମାଛ ବିକାଳୀ ।

୪୪ ବର୍ଷର କାଥରିନ ଜଣେ ବିଧବା ଓ ତିନି ସନ୍ତାନଙ୍କ ଜନନୀ। ସେ କହିଛନ୍ତି, ୨୦୧୮ର କଥା। ଲଗାତର ତିନି ଦିନ ଯାଏଁ ମୁଁ ମଲାୱି ହ୍ରଦ କୂଳକୁ ଯାଉଥିଲି ମାଛ ପାଇଁ। କିନ୍ତୁ ପ୍ରତିଥର ମୋତେ ନିରାଶ ହୋଇ ଫେରିବାକୁ ହେଉଥିଲା। ମାଛ କିଣି ପାରୁ ନ ଥିଲି। କାରଣ  ମୁଁ ମାଛ ବଦଳରେ ଦେହ ଦାନ କରିବାକୁ ମନା କରି ଦେଉଥିଲି। ହେଲେ ଚତୁର୍ଥ ଦିନରେ ଆଉ ପାରିଲିନି ଓ  ରାଜି ହୋଇଯାଇଥିଲି। କାରଣ ପିଲାଙ୍କ ବଞ୍ଚିବା କଷ୍ଟକର ହୋଇପଡିଲା। ମତେ ଦୁଇ ପଇସା ରୋଜଗାର କରିବାର ଥିଲା।  ଆଉ ଅର୍ଥ ରୋଜଗାର ପାଇଁ ମାଛ ବିକିବା ଏକମାତ୍ର ଜରିଆ ଥିଲା। ଏହା ପରେ ବହୁ ବର୍ଷ ଧରି ଅନେକଙ୍କ ଶଯ୍ୟା ସଙ୍ଗିନୀ ମୁଁ ହୋଇଛି ବୋଲି କହିଛନ୍ତି କାଥରିନ।

ଉତ୍ତର ମଲାୱିସ୍ଥିତ ମଜୁଜୁ  ବିଶ୍ୱବିଦ୍ୟାଳୟରେ ମତ୍ସ୍ୟ ପାଳନ ଓ ଜଳୀୟ ବିଜ୍ଞାନର ଜଣେ ପ୍ରଫେସର ମାଛ ବଦଳରେ ସେକ୍ସ ସମ୍ବନ୍ଧରେ କହିଛନ୍ତି କି, ମଲାୱି ହ୍ରଦ କୂଳରେ ଥିବା ଜିଲ୍ଳାଗୁଡିକରେ ରହୁଥିବା ଲୋକଙ୍କ ଆୟର ପ୍ରମୁଖ ଉତ୍ସ ହେଉଛି ମାଛ ଧରିବା ଓ ବିକିବା। ତେବେ ଯେଉଁଠି ମାଛ କିଣୁଥିବା ବ୍ୟକ୍ତି ମହିଳା ସେଠାରେ ଏପରି ଚଳଣି ଦେଖିବାକୁ ମିଳେ। ଆଉ ନଭେମ୍ବର ଓ ଡିସେମ୍ବରରେ ସେକ୍ସ ବଦଳରେ ମାଛର ପ୍ରଚଳନ ବୃଦ୍ଧି ପାଇଥାଏ। କାରଣ ଏହି ସମୟରେ ମାଛ ଉତ୍ପାଦନ କମିବା ସହ ଲୋକଙ୍କ ଚାହିଦା ରହିଥାଏ।

ତେବେ ସବୁ ମାଛ ଧରାଳି ଏପରି କରି ଥାନ୍ତି ସେହି ଅଭିଯୋଗକୁ ସେଠାକାର ଜଣେ ମତ୍ସ୍ୟଜୀବୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସେ କେବେ ଏପରି କାରବାର କରି ନାହାନ୍ତି। ତେବେ ଅଧିକାଂଶ ମାଛଧରାଳି ଏପରି କରିଥିବା ସେ ସ୍ୱୀକାର କରିଛନ୍ତି। କାରଣ ମାଛ ବିକୁଥିବା ମହିଳାମାନେ ସାଧାରଣତଃ ଗରିବ ଶ୍ରେଣୀର। ସେମାନଙ୍କ ପାଖରେ ମାଛ କିଣିବାକୁ ପଇସା ନ ଥାଏ। ତେଣୁ ମାଛ ଧରାଳି ସେମାନଙ୍କୁ ଅନେକ ସମୟରେ ଏପରି ଅଫର ଦେଇଥାନ୍ତି। ଅନେକ ସମୟରେ ମହିଳାମାନେ ମଧ୍ୟ ସେମାନଙ୍କ ସହ ଶୋଇବାକୁ ଦିଅନ୍ତି ନିମନ୍ତ୍ରଣ।

ବର୍ତ୍ତମାନ ଏହି ସ୍ଥିତିରେ ଆସିଲାଣି ପରିବର୍ତ୍ତନ। ସରକାରୀ ସହାୟତା ଦ୍ୱାରା ମହିଳାମାନେ ଆଉ ଏପରି ଅପମାନ ଓ ଲଜ୍ଜାଜନକ କାମ କରୁନାହାନ୍ତି।  

Leave a Reply

Your email address will not be published. Required fields are marked *